ଜେନେଭା,୮।୯: ସମଗ୍ର ବିଶ୍ୱ ଏବେ କରୋନା ମହାମାରୀ କବଳରେ ରହିଛି। କରୋନା ଯୋଗୁ ଅନେକ ଦେଶର ଅର୍ଥନୀତି ଖରାପ ଅବସ୍ଥାକୁ ଚାଲିଯାଇଛି। ଏଭଳି ପରିସ୍ଥିତିରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ଚେତାବନୀ ଦେଇଛି ଯେ ପରବର୍ତ୍ତୀ ମହାମାରୀ ପାଇଁ ମଧ୍ୟ ବିଶ୍ୱ ପ୍ରସ୍ତୁତ ହେବା ଉଚିତ୍। ଡବ୍ଲୁଏଚ୍ଓର ମୁଖ୍ୟ ଟେଡ୍ରୋସ ଆଧାନମ ଗ୍ରେବେସିୟସ କହିଛନ୍ତି ଯେ ପରବର୍ତ୍ତୀ ମହାମାରୀ ପାଇଁ ବିଶ୍ୱ ଭଲ ଭାବରେ ପ୍ରସ୍ତୁତ ରହୁ। ଜନସ୍ବାସ୍ଥ୍ୟରେ ବିନିଯୋଗ କରିବାକୁ ସେ ଦେଶଗୁଡ଼ିକୁ ମଧ୍ୟ ଆହ୍ବାନ ଦେଇଛନ୍ତି। ଡିସେମ୍ବର ୨୦୧୯ରେ ଚାଇନାର ଉହାନ ସହରରେ ପ୍ରଥମ କରୋନା ଜୀବାଣୁ ମାମଲା ପରଠାରୁ ବିଶ୍ୱର ୨.୭ କୋଟି ଲୋକ ଏହି ଜୀବାଣୁ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏଥି ସହିତ ୮,୮୮,୩୨୬ଜଣଙ୍କର ଏଥିରେ ମୃତ୍ୟୁ ଘଟିଛି। ଏହା ଶେଷ ମହାମାରୀ ହେବ ନାହିଁ ବୋଲି ଜେନେଭାରେ ଡବ୍ଲୁଏଚ୍ଓ ମୁଖ୍ୟାଳୟରେ ଏକ ସମ୍ବାଦିକ ସମ୍ମିଳନୀରେ ଟେଡ୍ରୋସ କହିଛନ୍ତି। ଇତିହାସ ଆମକୁ ଶିକ୍ଷା ଦେଇଛି ଯେ ଆକ୍ରାନ୍ତ ଏବଂ ମହାମାରୀ ଜୀବନର ଏକ ସତ୍ୟ ଅଟେ। କିନ୍ତୁ ଯେତେବେଳେ ପରବର୍ତ୍ତୀ ମହାମାରୀ ଆସିବ, ସେତେବେଳେ ବିଶ୍ୱ ପ୍ରସ୍ତୁତ ହେବା ଆବଶ୍ୟକ। ଏହି ସମୟ ଅପେକ୍ଷା ଅଧିକ ପ୍ରସ୍ତୁତ ହେବାକୁ ପଡିବ।