ଚାଇନା କରୋନା ପରିସ୍ଥିତି ଚିନ୍ତାଜନକ: ଉଦ୍‌ବେଗ ପ୍ରକାଶ କଲା ଡବ୍ଲ୍ୟୁଏଚ୍‌ଓ

ଜେନେଭା,୩୦।୧୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ମହାନିର୍ଦ୍ଦେଶକ ଟେଡ୍ରୋସ ଆଦାନୋମ ଗେବ୍ରେସିୟସ ଚାଇନାରେ କରୋନା ପରିସ୍ଥିତି ଗୁରୁତର ଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଚାଇନା କରୋନା ନିୟମ କୋହଳ କରିବା ପରେ ଏକ ଚିନ୍ତାଜନକ ପରିସ୍ଥିତି ଉପୁଜିଛି। ବିଭିନ୍ନ ଦେଶ ଦ୍ୱାରା ଚାଇନା ଉପରେ ଯାତ୍ରା ପ୍ରତିବନ୍ଧକ ସମ୍ପର୍କରେ ସେ ମଧ୍ୟ ନିଜର ମତ ବ୍ୟକ୍ତ କରିଛନ୍ତି।
ଟେଡ୍ରୋସ ଟୁଇଟ୍‌ କରି କହିଛନ୍ତି, ଆମେ ଚାଇନା ପରିସ୍ଥିତିକୁ ନେଇ ଚିନ୍ତିତ ଏବଂ ସର୍ବାଧିକ ବିପଦ ଥିବା ଲୋକଙ୍କୁ ଟିକା ଦେବା ପାଇଁ ଆମେ ଚାଇନାକୁ ଉତ୍ସାହିତ କରିବୁ। ଚାଇନା ଭୁଶୁଡ଼ି ପଡ଼ିଥିବା ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ସହାୟତା ଯୋଗାଇ ଦିଆଯିବ। ଆମେ ଅଧିକ ବିପଦ ଥିବା ଲୋକଙ୍କୁ ଟିକାକରଣ ପାଇଁ ଉତ୍ସାହିତ କରିବା ଜାରି ରଖିବୁ।
ବିଭିନ୍ନ ଦେଶ ଦ୍ୱାରା ଚାଇନା ଉପରେ ଲାଗୁ କରାଯାଇଥିବା ଯାତ୍ରା ପ୍ରତିବନ୍ଧକ ସମ୍ପର୍କରେ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ କହିଛନ୍ତି, ଚାଇନା ମହାମାରୀର ପରିସଂଖ୍ୟାନ ଦେଉ ନ ଥିବାରୁ ଏହି ଦେଶଗୁଡିକ ଏଭଳି ପଦକ୍ଷେପ ନେଉଛନ୍ତି।
ସୂଚନାଯୋଗ୍ୟ, ଚାଇନାରେ କୋଭିଡ ପରିସ୍ଥିତି ଅଧିକ ଖରାପ ରହିଛି। ହସ୍ପିଟାଲରେ ରୋଗିଙ୍କ ପାଇଁ ବେଡ୍‌ ନାହିଁ। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହେଉଛନ୍ତି।

Share