Categories: ଜାତୀୟ

ତିନି ଦିନିଆ ଭାରତ ଗସ୍ତରେ ଗୁଜରାଟ ଆସିବେ ଡବ୍ଲୁଏଚଓ ମୁଖ୍ୟ

ନୂଆଦିଲ୍ଲୀ,୧୮ ।୪: କରୋନା ଭାଇରସରେ ଦେଶରେ ହୋଇଥିବା ମୃତ୍ୟୁ ସଂଖ୍ୟାର ଗଣନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ପ୍ରକ୍ରିୟା ଉପରେ ଭାରତ ଆପତ୍ତି କରିଛି । ଏହି ବିବାଦ ଭିତରେ ସୋମବାର ଡବ୍ଲୁଏଚଓ ମୁଖ୍ୟ ଗୁଜରାଟ ଗସ୍ତ କରୁଛନ୍ତି । ଡବ୍ଲୁଏଚଓର ମହାନିର୍ଦ୍ଦେଶକ ଡା. ଟେଡ୍ରୋସ ଅଧନୋମ ଘେବ୍ରିସିୟସ ସୋମବାର ୩ ଦିନିଆ ଭାରତ ଗସ୍ତରେ ଗୁଜରାଟ ପହଞ୍ଚିବେ ।
ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦିଙ୍କ ସହ କିଛି କାର୍ଯ୍ୟକ୍ରମରେ ସାମିଲ ହେବେ । ୧୮ ଏପ୍ରିଲରେ ଡା. ଟେଡ୍ରୋସ ରାଜକୋଟରେ ପହଞ୍ଚିବେ । ସେଠାରେ ସେ ରାତିରେ ରହିବାର କାର୍ଯ୍ୟକ୍ରମ ରହିଛି । ମଙ୍ଗଳବାର ସେ ମୋଦିଙ୍କ ସହ ଜାମନଗରରେ ପାରମ୍ପରିକ ଚିକିତ୍ସା ଉପରେ ଡବ୍ଲୁଏଚଓର କେନ୍ଦ୍ର(ଜିସିଟିଏମ)ର ଶିଳାନ୍ୟାସ କାର୍ଯ୍ୟକ୍ରମରେ ସାମିଲ ହେବେ ।
ବୁଧବାର ଡା. ଟେଡ୍ରୋସ ଗାନ୍ଧିନଗରରେ ପ୍ରଧାନମନ୍ତ୍ରୀ ମୋଦିଙ୍କସହ ଗ୍ଲୋବାଲ ଆୟୁଷ ଇନଭେଷ୍ଟମଣ୍ଟ ଆଣ୍ଡ ଇନୋଭେଶନ ସମିଟର ଉଦଘାଟନ ସମାରୋହରେ ଯୋଗ ଦେବେ । ଏହି ୩ ଦିବସୀୟ ସମାରୋହରେ ୧୦ରୁ ଅଧିକ ବକ୍ତା ଓ ୧୦୦ରୁ ଅଧିକ ପ୍ରଦର୍ଶକ ସାମିଲ ହେବେ । ଏହି ସମିଟ ୱେଲନେସ ଉଦ୍ଦ୍ୟୋଗ ସହ ଜଡିତ ଷ୍ଟାଟଅପ୍ ଇକୋସିଷ୍ଟମରେ ଶୋଧ ଓ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ନିବେଶ ସମ୍ଭାବନା ଖୋଜିବାରେ ସାହାଯ୍ୟ କରିବ ।
ରାଜକୋଟର ଜିଲାପାଳ ମହେଶ ବାବୂ ରବିବାର କହିଛନ୍ତି ଜିସିଟିଏମ ପାରମ୍ପାରିକା ଔଷଧ ପାଇଁ ବିଶ୍ୱର ପ୍ରଥମ ଓ ଗୋଟିଏ ମାତ୍ର ଆଉଟପୋଷ୍ଟ ହେବ । ସୂଚନାଯୋଗ୍ୟ, ଦେଶରେ କରୋନା ମହାମାରୀ ଯୋଗୁ ହୋଇଥିବା ମୃତ୍ୟୁର ଗଣନାକୁ ନେଇ ଡବ୍ଲୁଏଚଓର ଆକଳନ ଉପରେ ଭାରତ ଆପତ୍ତି କରିଛି । ଭାରତ ସରକାର କହିଛନ୍ତି, ଆମର ବିଶାଳ ଭୌଗୋଳିକ ଆକାର ଓ ଅଧିକ ଜନସଂଖ୍ୟା ଥିବା ଦେଶରେ ମୃତ୍ୟୁର ଆକଳନ କରିବା ପାଇଁ ଯେ କୌଣସି ଗାଣିତିକ ମଡେଲ ବ୍ୟବହାର କରିବା ଠିକ ହୋଇ ନ ପାରେ ।

Share