Categories: ଜାତୀୟ

ଆରୋଗ୍ୟ ସେତୁର ସ୍ରଷ୍ଟା ମନ୍ତ୍ରଣାଳୟକୁ ଜଣାନାହିଁ

ନୂଆଦିଲ୍ଲୀ,୨୮।୧୦: କୋଭିଡ୍‌-୧୯ ସମ୍ପର୍କରେ ଜନସାଧାରଣଙ୍କୁ ସତର୍କ କରାଉଥିବା ଆରୋଗ୍ୟ ସେତୁ ଆପ୍‌ର ସ୍ରଷ୍ଟା କିଏ ଏ ସମ୍ପର୍କରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପାଖରେ କୌଣସି ତଥ୍ୟ ନାହିଁ। ଏହି ଆପ୍‌କୁ କିଏ ପ୍ରସ୍ତୁତ କରିଛି ଓ କିପରି ସୃଷ୍ଟି ହୋଇଛି ତାହା ଜଣାନାହିଁ ବୋଲି ନ୍ୟାଶନାଲ ଇନ୍‌ଫର୍ମେଟିକ୍ସ ସେଣ୍ଟର (ଏନ୍‌ଆଇସି) କହିଛି। ଏଥିପାଇଁ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ ଅଧୀନରେ ଥିବା ଏନ୍‌ଆଇସିକୁ ମୁଖ୍ୟ ସୂଚନା କମିଶନର (ସିଆଇସି) ଭର୍ତ୍ସନା କରିଛନ୍ତି। ଏଥିସହିତ ସିଆଇସି ବିଭିନ୍ନ ମୁଖ୍ୟ ଜନସୂଚନା ଅଧିକାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
କୋଭିଡ୍‌-୧୯ କଣ୍ଟାକ୍ଟ ଟ୍ରେସିଂ ସମ୍ପର୍କରେ ତଥ୍ୟ ଜାଣିବା ପାଇଁ ସୌରଭ ଦାସ ନାମକ ବ୍ୟକ୍ତି ସୂଚନା ଅଧିକାର ଆଇନ ବଳରେ ଏନ୍‌ଆଇସି, ଜାତୀୟ ଇ-ଗଭର୍ନାନ୍ସ ଡିଭିଜନ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ନିକଟରେ ଆବେଦନ କରିଥିଲେ। ଆରୋଗ୍ୟ ସେତୁ ଆପ୍‌ର ସ୍ରଷ୍ଟା କିଏ ସେ ଜାଣିବାକୁ ଚାହିଁଥିଲେ। ଲକ୍‌ଡାଉନ ସମୟରେ ଏହି ଆପ୍‌କୁ ଲକ୍ଷ ଲକ୍ଷ ଭାରତୀୟ ଡାଉନଲୋଡ୍‌ କରିଥିଲେ। ରେଷ୍ଟୁରାଣ୍ଟ, ସିନେମା ହଲ୍‌, ମେଟ୍ରୋ ଷ୍ଟେଶନ ଆଦିରେ ପ୍ରବେଶ ପୂର୍ବରୁ ଉକ୍ତ ମୋବାଇଲ୍‌ ଆପ୍‌ ଡାଉନଲୋଡ୍‌ କରିବାକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଏନ୍‌ଆଇସି କିମ୍ବା ମନ୍ତ୍ରଣାଳୟ ପାଖରେ ଆପ୍‌ ସ୍ରଷ୍ଟାଙ୍କ ସମ୍ପର୍କରେ ତଥ୍ୟ ନ ଥିବା ଆବେଦନକାରୀ କହିଛନ୍ତି।
ଆପ୍‌ କିଏ ପ୍ରସ୍ତୁତ କରିଛନ୍ତି, ତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିବାର କିଛି କାରଣ ନାହିଁ ବୋଲି ମାଇଁଗଭ୍‌ ଓ ଡିଜିଟାଲ ଇଣ୍ଡିଆ କର୍ପୋରେଶନର ସିଇଓ ଅଭିଷେକ ସିଂ ସ୍ପଷ୍ଟୀକରଣ ଦେଇଛନ୍ତି। ସିଆଇସି ସରକାରଙ୍କୁ ନୋଟିସ ଜାରି କରିବା ପରେ ଅଭିଷେକ କହିଛନ୍ତି, ଘରୋଇ ସହଭାଗିତାରେ ଏନ୍‌ଆଇସି ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଆରୋଗ୍ୟ ସେତୁ ଆପ୍‌ ପ୍ରସ୍ତୁତ କରିଥିଲା। ଏନ୍‌ଆଇସି ଓ ମନ୍ତ୍ରଣାଳୟ ଆପ୍‌ର ବିକାଶ କରିଥିବା ଆରୋଗ୍ୟ ସେତୁ ଓ୍ବେବ୍‌ସାଇଟରେ ମଧ୍ୟ ଉଲ୍ଲେଖ ରହିଛି। ଏ ସମ୍ପର୍କରେ ଖୁବ୍‌ଶୀଘ୍ର ସବିଶେଷ ସୂଚନା ପ୍ରଦାନ କରାଯିବ ବୋଲି ଅଭିଷେକ କହିଛନ୍ତି।

Share