କରୋନା ଟିକା ପ୍ରଥମେ କାହାକୁ ଦିଆଯିବା ଉଚିତ

ନୂଆଦିଲ୍ଲୀ,୧୬।୮: କରୋନା ମହାମାରୀ ବେଳକୁ ବେଳ ଉଗ୍ର ରୂପ ଧାରଣ କରୁଥିବା ବେଳେ ଏବେ ସମସ୍ତଙ୍କ ନଜର ଏହାର ଟିକା ବା ଭ୍ୟାକ୍ସିନ ଉପରେ। ଗୋଟିଏ ପଟେ ରୁଷିଆ କରୋନା ଟିକା ପ୍ରସ୍ତୁତ କରିଥିବା ଦାବି କରୁଥିବା ବେଳେ ଆଉ କେତେକ ଦେଶ ଏହାର ଶେଷ ପର୍ଯ୍ୟାୟରେ ଥିବା କହୁଛନ୍ତି। ଦେଶର ସିରମ ଇନଷ୍ଟିଚ୍ୟୁଟ ମଧ୍ୟ ଖୁବ୍‌ ଶୀଘ୍ର କରୋନା ଭ୍ୟାକ୍ସିନ ଉପଲବ୍ଧ କରାଇବ ବୋଲି କହିଲାଣି। ଏହାସହ ଆଉ ୨ଟି ଭ୍ୟାକ୍ସିନ ମଧ୍ୟ ଏହି ଦୌଡରେ ସାମିଲ ହୋଇଥିବା ସୂଚନା ରହିଛି। ଏବେ ପ୍ରଶ୍ନ ଉଠୁଛି ପ୍ରଥମେ ଏହି ଭ୍ୟାକ୍ସିନ କାହାକୁ ଦିଆଯିବା ଉଚିତ। କେତେକ ବିଶେଷଜ୍ଞଙ୍କ କହିବା କଥା ହେଲା ଯେଉଁମାନେ କରୋନାକୁ ସିଧାସଳଖ ମୁକାବିଲା କରୁଛନ୍ତି ପ୍ରଥମେ ସେମାନଙ୍କୁ ଏହା ଦିଆଯିବ ଉଚିତ। ଅର୍ଥାତ୍‌ ଡାକ୍ତର, ନର୍ସ ଓ ପାରାମେଡିକାଲ ଷ୍ଟାଫଙ୍କ ବୟସ ଅନୁଯାୟୀ ଏମାନଙ୍କୁ ପ୍ରଥମେ ଏହା ଦିଆଯିବ ଭଲ। ଏହାପରେ ଏହି ଅଦୃଶ୍ୟ ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଥିବା ସ୍ଥଳ ସେନା, ବାୟୁ ସେନା, ନୌସେନା, ବିଏସ୍‌ଏଫ୍‌, ଆଇଟିବିପି ଓ କୋଷ୍ଟଗାର୍ଡଙ୍କୁ ଦେବା ଉଚିତ। ଏହାପରେ ଆସୁଛନ୍ତି ସ୍ବେଚ୍ଛାସେବୀ। ତେବେ ବିଶେଷଜ୍ଞଙ୍କ କହିବା କଥା ରୋଗୀଙ୍କ ସଂଖ୍ୟା ଓ ବର୍ଗର ସନ୍ତୋଷଜନକ ତଥ୍ୟ ମିଳିଲା ପରେ ଯାଇ କେନ୍ଦ୍ର କୌଣସି ଭ୍ୟାକ୍ସିନକୁ ସୁରକ୍ଷିତ ବୋଲି ଘୋଷଣା କରିପାରେ। ପ୍ରଥମେ ଏହା ସରକାରୀ ଭାବେ ଉପଲବ୍ଧ ହେବା ସହ ପରେ ଏହା ଘରୋଇ ସ୍ତରକୁ ଦିଆଯାଇପାରେ।

Share