୩ମାସ ପରେ ଭାକ୍ସିନ ନେଇପାରିବେ ପ୍ଲାଜମା ନେଇଥିବା ଆକ୍ରାନ୍ତ

ନୂଆଦିଲ୍ଲୀ,୧୯।୫: ପୂର୍ବରୁ ଭାରତରେ ଦେଖାଦେଇଥିବା କରୋନା ଭାଇରସ୍‌ର ଭାରିଆଣ୍ଟରେ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ପ୍ଲାଜମା ଥେରାପି ରାମବାଣ ସଦୃଶ ଥିଲା। ହେଲେ ବର୍ତ୍ତମାନ ଦେଖାଯାଇଥିବା କରୋନାର ନୂଆ ଭାରିଆଣ୍ଟରେ ପ୍ଲାଜମା ଥେରାପି ଆଉ କାମ ଦେଉନାହିଁ। ତେଣୁ କୋଭିଡ ଚିକିତ୍ସା ପ୍ରୋଟୋକଲ୍‌ରୁ ପ୍ଳାଜମା ଥେରାପିକୁ ବାଦ୍‌ ଦିଆଯାଇଛି। ଇତିମଧ୍ୟରେ କରୋନା ସଂକ୍ରମଣ ସମୟରେ ଯେଉଁ ବ୍ୟକ୍ତିମାନେ ପ୍ଲାଜମା ନେଇଛନ୍ତି, ସେମାନଙ୍କୁ ଭାକ୍ସିନ ପାଇଁ ଅତି କମ୍‌ରେ ୩ମାସ ଅପେକ୍ଷା କରିବାକୁ ପଡ଼ିପାରେ। ଏନେଇ ଜାତୀୟ ଟାସ୍କ ଫୋର୍ସ କେନ୍ଦ୍ରମନ୍ତ୍ରଣାଳୟକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ପ୍ଳାଜମା ନେଇଥିବା ବ୍ୟକ୍ତି ସୁସ୍ଥ ହେବା ପରେ କେବେ ଟିକା ନେଇପାରିବେ ସେନେଇ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଜାତୀୟ ଟାସ୍କ ଫୋର୍ସ ପକ୍ଷରୁ ଏକ ସମୀକ୍ଷା ବୈଠକ କରାଯାଇଥିଲା। ଯେଉଁଥିରୁ ଜଣାପଡ଼ିଛି ଯେ, କରୋନାରୁ ସୁସ୍ଥ ହେବା ପରେ ଜଣେ ବ୍ୟକ୍ତିଙ୍କଠାରେ ୯ମାସ ପର୍ଯ୍ୟନ୍ତ ଆଣ୍ଟିବଡ଼ି ବା ରୋଗ ପ୍ରତିରୋଧକ ଶକ୍ତି ମିଳିଥାଏ। ତେଣୁ ଏହି ସମୟରେ ଟିକା ନେବାର କୌଣସି ଆବଶ୍ୟକତା ନାହିଁ। ଅନ୍ୟପଟେ ଆଇସିଏମ୍‌ଆରର ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କଠାରେ ୬ମାସ ପର୍ଯ୍ୟନ୍ତ ରୋଗପ୍ରତିରୋଧକ ଶକ୍ତି ରହିଥାଏ। ହେଲେ ସବୁଠାରୁ ଅଧିକ ପ୍ରଥମ ୩ମାସରେ ଦେଖାଯାଇଥାଏ ବୋଲି ଆଇସିଏମ୍‌ଆର କହିଛି।

Share