Categories: ଖେଳ

ସ୍ପିନ୍‌ ବୋଲିଂରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଆଣ୍ଠେଇ ଥିବା ଦୁନିଥ କିଏ?ଜାଣନ୍ତୁ…

କଲମ୍ବୋ,୧୨।୯: ପାକିସ୍ତାନ ବିପକ୍ଷ ଏସିଆ କପ୍‌ ସୁପର ୪ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତ ୨୨୮ ରନ୍‌ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତୀୟ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍‌ ପାକିସ୍ତାନ ବିପକ୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ହେଲେ ୨୪ ଘଣ୍ଟା ପରେ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଟପ୍‌ ବ୍ୟାଟ୍ସମ୍ୟାନ୍‌ମାନେ ଯୁବ ସ୍ପିନର ଦୁନିଥ ଓ୍ବେଲାଲଗେଙ୍କ ବଲ୍‌କୁ ସାମ୍ନା କରିପାରିନାହାନ୍ତି। ଦୁନିଥ ନିଜର ପ୍ରଭାବୀ ସ୍ପିନ୍‌ ବଳରେ ଶୁଭମନ ଗିଲ, ରୋହିତ ଶର୍ମା, ବିରାଟ କୋହଲି ଏବଂ କେ ଏଲ୍‌ ରାହୁଲଙ୍କ ଉଇକେଟ ନେବାରେ ସଫଳ ହୋଇଛନ୍ତି। ଏହି ବ୍ୟାଟ୍ସମ୍ୟାନମାନେ ପାକିସ୍ତାନ ବିପକ୍ଷରେ ଭଲ ବ୍ୟାଟିଂ କରିଥିଲେ।
ଦୁନିଥ ନିଜର ପ୍ରଥମ ୩ ଓଭରରେ ୪ ରନ୍‌ ଦେଇ ୩ ଉଇକେଟ ନେଇଥିଲେ। ଏଥିରୁ ଗୋଟିଏ ଓଭର ମେଡେନ ଥିଲା। ତାଙ୍କ ଯୋଗୁ ଭାରତ ସ୍କୋର ୮୦/୦ରୁ ୯୩/୩ ଉଇକେଟରେ ପହଞ୍ଚିଥିଲା। ଏହାପରେ କେ ଏଲ୍‌ ରାହୁଲ ଏବଂ ଈଶାନ କିଷନଙ୍କ ଭାଗିଦାରି ମଧ୍ୟ ସେ ଭାଙ୍ଗିଥିଲେ। ଏହାପରେ ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଉଟ୍‌ କରି ନିଜର ୫ ଉଇକେଟ ପୂରଣ କରିଥିଲେ।
ଆସନ୍ତୁ ଜାଣିବା ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଣ୍ଠେଇ ଥିବା ଦୁନିଥ କିଏ?
ଦୁନିଥ  ଓ୍ବେଷ୍ଟଇଣ୍ଡିଜ ଅଧ୍ୟକ୍ଷତାରେ ଆୟୋଜିତ ଅଣ୍ଡର ୧୯ ବିଶ୍ୱକପ୍‌ ୨୦୨୨ରେ ନିଜର ଅଲରାଉଣ୍ଡ ପ୍ରଦର୍ଶନକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ସେ ବିଶ୍ୱକପ୍‌ରେ ଖେଳିଥିବା ୬ ମ୍ୟାଚ୍‌ରେ ସେ ୧୭ ଉଇକେଟ ନେଇଥିବା ବେଳେ ୨୬୪ ରନ୍‌ ମଧ୍ୟ କରିଥିଲେ। ଏହାପରେ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜରେ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା। ସେ ୧୯ ବର୍ଷରେ ଜାତୀୟ ଦଳ ଲାଗି ଡେବ୍ର କରିଥିଲେ। ହେଲେ ପ୍ରାରମ୍ଭିକ ଦିନରେ ସେ ମାତ୍ର ୧୨ ମ୍ୟାଚ୍‌ରେ ୧୩ ଉଇକେଟ ନେଇପାରିଥିଲେ। ୩/୪୨ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଏବେ ସେ ଭାରତ ବିପକ୍ଷରେ ଘରୋଇ ପିଚ୍‌ରେ ପ୍ରଭାବୀ ବୋଲିଂ କରି ଆଲୋଚନାର ପରିସରକୁ ଆସିଛନ୍ତି। ଯଦି ତାଙ୍କର ଏଭଳି ପ୍ରଦର୍ଶନ ରୁହେ ତେବେ ତାଙ୍କୁ ବିଶ୍ୱକପ୍‌ ଟିମ୍‌ରେ ସୁଯୋଗ ମିଳିପାରେ ବୋଲି କୁହାଯାଉଛି।
Share