Categories: ଜାତୀୟ

ଭଜନଲାଲ୍‌ ଶର୍ମା କିଏ? ୨୦୦୮ରେ ସ୍ବାଧୀନ ଭାବେ ଲଢ଼ିଥିଲେ, ପ୍ରଥମ ଥର ନିର୍ବାଚନ ଜିତିବା ସତ୍ତ୍ୱେ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଜୟପୁର,୧୨।୧୨: ମଧ୍ୟପ୍ରଦେଶ, ଛତିଶଗଡ଼ ପରେ ଭାଜପା ରାଜସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚମକାଇଛି। ଦଳ ପ୍ରଥମ ଥର ଲାଗି ବିଧାୟକ ହୋଇଥିବା ଭଜନଲାଲ୍‌ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛି। ମଙ୍ଗଳବାର ଜୟପୁରରେ ହୋଇଥିବା ବିଧାୟକ ଦଳର ବୈଠକରେ ତାଙ୍କ ନାମ ଉପରେ ମୋହର ବାଜିଥିଲା।

ଭେଟେରାନ ନେତା ବସୁନ୍ଧରା ରାଜେ, କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମେଘଓ୍ବାଲ, ଗଜେନ୍ଦ୍ର ସିଂ ଶେଖାଓ୍ବତ ଏବଂ ଅଶ୍ୱିନ ବୈଷ୍ଣବଙ୍କ ନାମ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିଲା। ହେଲେ ଭଜନଲାଲ୍‌ ବାଜି ମାରିଛନ୍ତି। ସେ ରାଜ୍ୟରେ ଭାଜପାର ବ୍ରାହ୍ମଣ ଚେହେରା ପାଲଟିଛନ୍ତି।

ସାଙ୍ଗାନେର ବିଧାୟକ ଭଜନଲାଲ୍‌ ସଂଗଠନରେ ଦବ୍‌ଦବା ରହିଛି। ସେ ୪ ଥର ରାଜସ୍ଥାନରେ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଏବେ ମଧ୍ୟ ସେ ସାଙ୍ଗଠନିକ କାର୍ଯ୍ୟରେ ସକ୍ରିୟ ଅଛନ୍ତି। ୨୦୨୩ରେ ଭାଜପା ପ୍ରଥମ ଥର ଲାଗି ତାଙ୍କୁ ଜୟପୁରର ସାଙ୍ଗାନେର ଭଳି ଏକ ସୁରକ୍ଷିତ ଆସନରୁ ନିର୍ବାଚନକୁ ଓହ୍ଲାଇଥିଲା। ସେ ପ୍ରଥମ ଥର ଲାଗି ବିଧାୟକ ହୋଇଛନ୍ତି। ତେବେ ଏହି ଆସନରେ ଭଜନଲାଲ୍‌ଙ୍କୁ ଛିଡ଼ା କରିବା ଲାଗି ଭାଜପା ପୂର୍ବତନ ବିଧାୟକ ଅଶୋକ ଲାହୋତିଙ୍କ ଟିକେଟ କାଟିଥିଲା।

ଭଜନଲାଲ୍‌ ଦୀର୍ଘଦିନ ଧରି ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ(ଆର୍‌ଏସ୍‌ଏସ୍‌) ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରେ ସକ୍ରିୟ ଥିଲେ। ସେ ଲଗାତର ଭାବେ ଲାଇମଲାଇଟ୍‌ରୁ ଦୂରରେ ରହି ସଂଗଠନ ଲାଗି କାମ କରିଆସୁଥିଲେ। ୨୦୦୮ରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ହେଲେ ଚଳିତ ଥର ଭାଜପା ସାଙ୍ଗାନୋର ଆସନ ଖାଲି କରି ତାଙ୍କୁ ମଇଦାନକୁ ଓହ୍ଲାଇଥିଲା। ସେ ଏକ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ହେଉଥିବା ନଜର ଆସିବା ପରଠାରୁ ଚର୍ଚ୍ଚାରେ ଥିଲେ।

୫୬ ବର୍ଷୀୟ ଭଜନଲାଲ୍‌ ଭରତପୁରର ବାସିନ୍ଦା। ତାଙ୍କର ବୃତ୍ତି ବ୍ୟବସାୟ ହୋଇଥିବା ବେଳେ ପତ୍ନୀଙ୍କ ଆୟ ଜଣେ ହୋଲସେଲର୍‌ ଭାବେ ଏଡିଆର୍‌ ରିପୋର୍ଟରେ ଦର୍ଶାଯାଇଛି। ଶିକ୍ଷା ବିଷୟରେ କଥା ହେଲେ ସେ ଜଣେ ପୋଷ୍ଟ ଗ୍ରାଜୁଏଟ୍‌। ସେ ଭରତପୁର ରେଳ କମିଟିର ସଦସ୍ୟ ମଧ୍ୟ ରହିଥିଲେ।

ଭଜନଲାଲ୍‌ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଚଳିତ ବର୍ଷ ଏପ୍ରିଲରେ ହିଁ ଭାଜପା ବିଜୟର ଘୋଷଣା କରିଥିଲେ। ସେ କହିଥିଲେ ଯେ ଭାଜପା କଂଗ୍ରେସ ଭଳି ନିର୍ବାଚନ ବର୍ଷକୁ ଅପେକ୍ଷା କରେ ନାହିଁ। ଭାଜପା ନିଜର କର୍ମକର୍ତ୍ତାମାନଙ୍କ ସହ ଜଡ଼ିତ ହୋଇ ରହିଥାଏ। ଏପରିକି ନିର୍ବାଚନ ପ୍ରସ୍ତୁତିରେ କଂଗ୍ରେସଠାରୁ ଶହେ ପାଦ ଆଗରେ ଭାଜପା ବୋଲି ସେ କହିଥିଲେ।

Share