ବେଙ୍ଗାଲୁରୁ,୯।୨: କର୍ନାଟକରେ ହିଜାବକୁ ନେଇ ବିବାଦ ଲାଗି ରହିଛି। ଏସବୁ ମଧ୍ୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଜଣେ ମୁସଲମାନ ଯୁବତୀ। ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ହିଜାବକୁ ବିରୋଧ କରୁଥିବା କିଛି ଛାତ୍ର ତାଙ୍କର ବିରୋଧ କରିଥିଲେ। ଏପରିକି ଗେରୁଆ ରଙ୍ଗର ସ୍କାର୍ଫ ପିନ୍ଧିଥିବା ଉକ୍ତ ଛାତ୍ରମାନେ ‘ଜୟ ଶ୍ରୀରାମ’ ନାରା ଦେଇଥିଲେ। ଏହାର ଜବାବ ଦେଇ ଯୁବତୀଜଣଙ୍କ ‘ଆଲ୍ଲାହୁ ଆକବର’ କହିଥିବା ଭିଡିଓରେ ଦେଖାଯାଇଛି। ଏହାପରେ ଯୁବତୀଜଣଙ୍କ କିଏ ସେନେଇ ଚର୍ଚ୍ଚା ଲାଗି ରହିଥିଲା। ଏବେ ତାଙ୍କର ପରିଚୟ ମିଳିଛି।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଝିଅର ନାମ ମୁସ୍କାନ। ଏହି ଘଟଣାଟି କର୍ନାଟକର ମାଣ୍ଡିଆର। କିଛି ପୁଅ ତାଙ୍କୁ ବୁର୍ଖା ପିନ୍ଧିଥିବାରୁ ରୋକିବାକୁ ଚେଷ୍ଟା କରିଥିଲେ ବୋଲି ସେ ନିଜର ପ୍ରତିକ୍ରିୟା ରଖିବା ସହ କହିଛନ୍ତି, ତାଙ୍କୁ ହିଜାବ ହଟାଇବାକୁ କୁହାଯାଇଥିଲା। ଏହାଦେଖି ସେ ଅସହଜ ହୋଇପଡ଼ିଥିଲେ। ଯୁବତୀଙ୍କ ଏଭଳି କାରନାମାକୁ ପ୍ରଶଂସା କରିଛନ୍ତି ଓଓ୍ବାଇସି। ସେ ତାଙ୍କୁ ଜଣେ ସାହସୀ ଝିଅ ବୋଲି କହିଛନ୍ତି।