Categories: ଜାତୀୟ

କିଏ ସେହି ସୀମା ପାହୁଜା, ଯିଏ ଖୋଲିବେ କୋଲକାତା ଡାକ୍ତରଙ୍କ ହତ୍ୟା ମାମଲାର ବଡ଼ ରହସ୍ୟ, ପୂର୍ବରୁ କରିଥିଲେ…

ନୂଆଦିଲ୍ଲୀ,୧୯।୮: କୋଲକାତାର ଆର୍‌.ଜି କର କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର-ହତ୍ୟା ରହସ୍ୟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଅଭିଯୁକ୍ତ ସଞ୍ଜୟ ରୟ ଏବଂ ହସ୍ପିଟାଲର ଡାକ୍ତରଙ୍କ ବିବୃତ୍ତିରେ ତାଳମେଳ ରହୁନଥିବା ବେଳେ ଏହି ମାମଲା ଅତ୍ୟନ୍ତ ଗଭୀର ବୋଲି ଜଣାପଡୁଛି। ଲାଗୁଛି ଯେପରି ଏହି ମାମଲା ଭିତରେ କିଛି ଲୁଚି ରହିଛି। ତେଣୁ କୋଲକାତା ମାମଲାର ରହସ୍ୟ ଫିଟାଇବାକୁ ସିବିଆଇ ଏହାର ଜଣେ ମହିଳା ଆଇପିଏସ ସୀମା ପାହୁଜାଙ୍କୁ ନିଯୁକ୍ତ କରିଛି। ଇଏ ସେହି ସୀମା ପହୁଜା, ଯିଏ ହାଥରସ ଗ୍ୟାଙ୍ଗ୍‌ରେପ ମାମଲାର ସମାଧାନ କରିଥିଲେ।

ସିବିଆଇ ତାଙ୍କୁ ନିଯୁକ୍ତି ଦେବା ପାଇଁ ଜଣେ ମହିଳା ଆଇପିଏଫଙ୍କୁ ହଟାଇ ଦେଇଛି। ଏହି ଘଟଣାରେ ପୂର୍ବରୁ ତିନିଜଣ ଯାଞ୍ଚ ଅଧିକରୀ ନିଯୁକ୍ତ ହୋଇସାରିଛନ୍ତି। ସିବିଆଇ ଏହି ମାମଲାର ତଳ ଭାଗକୁ ଯିବାକୁ ଚାହୁଁଛି, ତେଣୁ ହାଥରସ ଘଟଣାରେ ଲାଇମ ଲାଇଟକୁ ଆସିଥିବା ସୀମା ପହୁଜାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

ସୀମା ପାହୁଜା ଗାଜିଆବାଦର ସିବିଆଇ ୟୁନିଟ୍‌ରେ ଦୁର୍ନୀତି ନିବାରଣ ବ୍ୟୁରୋ ଅର୍ଥାତ୍‌ ଏସିବିରେ ଡିଏସ୍‌ପି ଭାବରେ ନିୟୋଜିତ ଅଛନ୍ତି। ସେ ଜଣେ ତୀକ୍ଷ୍ଣ ମହିଳା ଅଧିକାରୀ ଭାବରେ ଜଣାଶୁଣା। ତାଙ୍କ କାର୍ଯ୍ୟ ପାଇଁ ତାଙ୍କୁ ପୋଲିସ ପଦକ ସମେତ ଅନେକ ସମ୍ମାନ ମିଳିଛି । ସୀମା ପହୁଜା ଏହା ପୂର୍ବରୁ ସିବିଆଇର ସ୍ବତନ୍ତ୍ର କ୍ରାଇମ ୟୁନିଟ -୧ରେ କାର୍ଯ୍ୟ କରିସାରିଛନ୍ତି।

ଅନ୍ୟପଟେ କୋଲକାତାର ଆର.ଜି କର କଲେଜ ଏବଂ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାର ଅଟୋପ୍‌ସି ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟରେ ପୀଡିତାଙ୍କ ସହ ଘଟିଥିବା ଘଟଣାର ସ୍ପଷ୍ଟ ତଥ୍ୟ ଦିଆଯାଇଛି।

ରିପୋର୍ଟ ଅନୁଯାୟୀ, ପୀଡିତାଙ୍କ ମୃତଦେହ ନିବସ୍ତ୍ର ଅବସ୍ଥାରେ ମିଳିଥିଲା। ତାଙ୍କର ପ୍ରାଇଭେଟ ପାର୍ଟରୁ ରକ୍ତ ବାହାରୁଥିଲା। ଯାହା ବଳାତ୍କାରକୁ ନିଶ୍ଚିତ କରୁଛି। ପୀଡିତାଙ୍କ ବାମ ହାତ, କାନ୍ଧ, ଆଣ୍ଠୁ ଏବଂ ଗୋଡ କ୍ଷତ ଚିହ୍ନ ରହିଥିଲା। ଯୋନୀ ନିକଟରେ ମଧ୍ୟ ଗୁରୁତର ଆଘାତ ଲାଗିଥିଲା। ରିପୋର୍ଟରେ ଏହା କୁହାଯାଇଛି ଯେ ପୀଡ଼ିତାଙ୍କ ଆଖିରେ ରକ୍ତ ଦାଗ ଥିଲା । ଏହିପରି ଭାବେ ୧୪ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା। ରିପୋର୍ଟରେ ଫୁସଫୁସରେ ରକ୍ତସ୍ରାବ ଏବଂ ଶରୀରରେ ରକ୍ତ ଜମାଟ ବାନ୍ଧିବା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଅଧିକ ତଦନ୍ତ ପାଇଁ ରକ୍ତ ଏବଂ ଅନ୍ୟାନ୍ୟ ଶାରୀରିକ ତରଳ ପଦାର୍ଥର ନମୁନା ପଠାଯାଇଛି। ତେବେ ରିପୋର୍ଟରେ ମୃତ୍ୟୁର କାରଣକୁ ଅପ୍ରାକୃତିକ ମୃତ୍ୟୁ ବୋଲି କୁହାଯାଇଛି।

Share