କିଏ ସେହି ଜୁଲି ଭାଭିଲୋଭା, ଯାହାଙ୍କୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା

ପ୍ୟାରିସ୍‌, ୨୮ା୮:ମେସେଜିଂ ଆପ୍‌ ଟେଲିଗ୍ରାମରେ ଆପରାଧିକ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦେବା ଅଭିଯୋଗରେ ଏହାର ସିଇଓ ପାଭେଲ ଡ୍ୟୁରେଭଙ୍କୁ ରବିବାର ପ୍ୟାରିସ୍‌ର ଲେ ବୋର୍ଗେଟ ଏୟାରପୋର୍ଟରୁ ଫ୍ରାନ୍ସ ପୋଲିସ ଗିରଫ କରିଛି। ପାଭେଲଙ୍କ ଗିରଫଦାରିକୁ ନେଇ ଏକ ନୂଆ ମୋଡ଼ ଆସିଛି। ପାଭେଲ ଗିରଫ ହେବାର ଠିକ୍‌ ପୂର୍ବରୁ ଆଜରବାଇଜାନ ଯାଇଥିଲେ। ସେଠାରେ ଜୁଲି ଭାଭିଲୋଭା(୨୪) ନାମ୍ନୀ ଜଣେ ମହିଳାଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥିଲା। ଜୁଲିଙ୍କ ହନିଟ୍ରାପ୍‌ରେ ଫସି ପାଭେଲ ଧରାପଡ଼ିଥିବା ନେଇ ସୋସିଆଲ ମିଡିଆରେ ଆଲୋଚନା ହେଉଛି।
ଜୁଲିଙ୍କ ଇନ୍‌ଷ୍ଟାଗ୍ରାମ ପ୍ରୋଫାଇଲ ଅନୁଯାୟୀ, ସେ ଦୁବାଇର ଜଣେ କ୍ରିପ୍ଟୋ କୋଚ୍‌ ଏବଂ ଭିଡିଓ ଗେମ୍‌ ଷ୍ଟ୍ରିମର ମଧ୍ୟ। ଟେଲିଗ୍ରାମ ସିଇଓ ପାଭେଲଙ୍କ ସହ ମିଶି ସେ ବହୁ ସ୍ଥାନକୁ ଯାତ୍ରା କରିଛନ୍ତି। ନିକଟରେ ପାଭେଲଙ୍କ ସହ ଜୁଲି କାଜାଖ୍‌ସ୍ତାନ, କିର୍ଗିଜସ୍ତାନ, ଆଜରବାଇଜାନ ଆଦି ଦେଶକୁ ଭ୍ରମଣ କରିଥିଲେ। ଜୁଲି ନିଜ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଓ ଷ୍ଟୋରି ମାଧ୍ୟମରେ ପାଭେଲଙ୍କ ସହ କରିଥିବା ବିଭିନ୍ନ ଯାତ୍ରାର ବହୁ ଫଟୋ ଓ ଭିଡିଓ ଶେୟାର କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକେ ବିଶ୍ୱାସ କରୁଛନ୍ତି, ଏପରି କରି ଜୁଲି ଡ୍ୟୁରେଭଙ୍କ ଠିକଣା ନେଇ ତାଙ୍କୁ ଖୋଜୁଥିବା ଅଧିକାରୀଙ୍କୁ ସୂଚନା ଦେଉଥିଲେ। ସେହିପରି ପାଭେଲଙ୍କ ଗିରଫଦାରିର ମାତ୍ର ୩ ଦିନ ପୂର୍ବରୁ ଜୁଲି ଏକ ପ୍ରାଇଭେଟ୍‌ ଜେଟ୍‌ ମଧ୍ୟରେ ବସି ଇନ୍‌ଷ୍ଟାଗ୍ରାମରେ ଷ୍ଟୋରି ଦେଇଥିଲେ। ଏହି ପ୍ରାଇଭେଟ ଜେଟ୍‌ ଡ୍ୟୁରୋଭଙ୍କର ଥିଲା ଏବଂ ଉକ୍ତ ଜେଟ୍‌ ଯୋଗେ ହିଁ ସେ ଗିରଫଦାରିର ଠିକ୍‌ ପୂର୍ବରୁ ପ୍ୟାରିସରେ ପହଞ୍ଚିଥିବା ନେଇ ଅନେକେ ଅନୁମାନ କରୁଛନ୍ତି। ଅନ୍ୟପକ୍ଷରେ, ଜୁଲି ଇସ୍ରାଏଲର ଜାତୀୟ ଗୋଇନ୍ଦା ସଂସ୍ଥା ‘ମୋସାଦ’ର ଏଜେଣ୍ଟ ହୋଇଥିବା ନେଇ ଆଉ କେତେଜଣ ୟୁଜର୍ସ ଅନୁମାନ କରିଛନ୍ତି। ତେବେ ଟେଲିଗ୍ରାମ ସିଇଓଙ୍କ ଗିରଫଦାରି ପରଠାରୁ ଜୁଲି ନିଖୋଜ ରହିଛନ୍ତି।
ଏହି ରହସ୍ୟମୟୀ ମହିଳାଙ୍କ ସୋସିଆଲ ମିଡିଆ ଆକ୍ଟିଭିଟିକୁ ଫରାସୀ ସୁରକ୍ଷା ଅନୁସନ୍ଧାନକାରୀ ବେପ୍‌ଟିଷ୍ଟ ରୋବର୍ଟ ରିସର୍ଚ୍ଚ କରି କହିଛନ୍ତି, ପ୍ୟାରିସ ଆସିବା ପୂର୍ବରୁ ପାଭେଲଙ୍କ ଆଜରବାଇଜାନ ଯାତ୍ରାରେ ଜୁଲି ତାଙ୍କ ସହ ରହିଥିଲେ। ଉକ୍ତ ଯାତ୍ରାରେ ଟେଲିଗ୍ରାମ ସିଇଓଙ୍କ ସହ ଫଟୋକୁ ଭାବିଲୋଭା ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ସମ୍ଭବତଃ ଏହି କାରଣରୁ ପାଭେଲଙ୍କୁ ଗିରଫ କରିବା ସମ୍ଭବ ହୋଇପାରିଛି ବୋଲି ରୋବର୍ଟ କହିଛନ୍ତି। ଏକ ଆମେରିକୀୟ ଖବରକାଗଜକୁ ରୋବର୍ଟ କହିଛନ୍ତି, ପାଭେଲଙ୍କ ଗିରଫଦାରିରେ ଜୁଲିଙ୍କ ପୋଷ୍ଟର ପ୍ରତ୍ୟକ୍ଷ ଭୂମିକା ରହିଛି କି ନାହିଁ ତାହା କହିବା କଷ୍ଟସାଧ୍ୟ, କିନ୍ତୁ ଯଦି କେହି ଜୁଲିଙ୍କର ସୋସିଆଲ ମିଡିଆକୁ ନିୟମିତ ଭାବେ ଫଲୋ କରୁଥିବେ ସେ ଅତି ସହଜରେ ଟେଲିଗ୍ରାମ ସିଇଓଙ୍କ ଗତିବିଧିକୁ ଟ୍ରାକ୍‌ କରିପାରିବେ। ଜୁଲିଙ୍କ ପୋଷ୍ଟରୁ ଜଣାପଡ଼ିଛି, ସେ ପାଭେଲଙ୍କ ସହ ଆଜରବାଇଜାନର ରାଜଧାନୀ ବାକୁରେ ଥିବା ଏକ ଶୁଟିଂ ରେଞ୍ଜ ଓ ଏକ ହୋଟେଲକୁ ଯାଇଥିଲେ। ଜୁଲିଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଉଭୟ ପାଭେଲ ଓ ଜୁଲି ପରସ୍ପର ସହ ବେଶ ନିକଟତର ହୋଇଥିବା ଜଣାପଡ଼ୁଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରକୃତ ସମ୍ପର୍କ କ’ଣ ତାହା କହିବା କଷ୍ଟକର ବୋଲି ରୋବର୍ଟ କହିଛନ୍ତି। ଜୁଲି ଏବଂ ପାଭେଲଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ୍‌ କେବେ ଏବଂ କେଉଁଠାରେ ହୋଇଥିଲା, ସେନେଇ ଜଣାପଡ଼ିନାହିଁ। ତେବେ ଉଭୟ ଦୁବାଇରେ ରହୁଥିଲେ ବୋଲି ରୋବର୍ଟ କହିଛନ୍ତି।

Share