ବିକୁଥିଲେ ପାଣି ବୋତଲ, ହୋଟେଲରେ କରିଛନ୍ତି କାମ; ଦୀର୍ଘ ୧୮ ବର୍ଷର ସଂଘର୍ଷ ପରେ ହେଲେ ସୁପରଷ୍ଟାର…

ବମ୍ବେ: ଫିଲ୍ମ ‘କାନ୍ତାରା’ ରିଲିଜ ଦିନଠାରୁ ଚର୍ଚ୍ଚାରେ ଅଛନ୍ତି ମୁଖ୍ୟ ଅଭିନେତା ଋଷଭ ଶେଟ୍ଟୀ। ହାତଗଣତି ସ୍କ୍ରିନ୍‌ରେ ରିଲିଜ ହୋଇଥିବା ଏହି ଫିଲ୍ମ କ୍ରାନ୍ତି ଆଣିଛି କହିଲେ ଚଳେ। ବିଶେଷକରି ଏଥିରେ ଋଷଭଙ୍କ ଅଭିନୟ ଏବଂ ଚରିତ୍ରକୁ ଦର୍ଶକେ ବେଶ ପସନ୍ଦ କରିଛନ୍ତି। ଅଭିନେତା ହେବା ସାଙ୍ଗକୁ ସେ ଏହାର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଏସବୁକୁ ନେଇ ଅନେକଙ୍କ ପ୍ରିୟ ଅଭିନେତା ପାଲଟିଛନ୍ତି ସେ। ଦକ୍ଷିଣ ଭାରତୀୟ ସିନେମାର ବଡ ଷ୍ଟାର ପାଲଟିଥିବା ଋଷଭ କଠିନ ପରିଶ୍ରମ କରି ସଫଳତାର ସ୍ବାଦ ଚାଖିଛନ୍ତି। ଏଥିଲାଗି ସେ ଦୀର୍ଘ ୧୮ ବର୍ଷ ଧରି ଷ୍ଟ୍ରଗଲ୍‌ କରିଛନ୍ତି।

ଅଭିନେତାଟିଏ ହେବାକୁ ଋଷଭ ସବୁବେଳେ ଚାହୁଁଥିଲେ। ତେବେ ଜଣେ ସାଧାରଣ ଯୁବକରୁ ସୁପରଷ୍ଟାର ହେବା ସହଜ ନୁହେଁ। କଲେଜ ସମୟରେ ଋଷଭ ପାଠ ପଢ଼ିବା ସହ ଛୋଟମୋଟ କାମ କରୁଥିଲେ। ପାଣି ବୋତଲ ବିକିବାଠାରୁ ଆରମ୍ଭ କରି ହୋଟେଲରେ ମଧ୍ୟ କାମ କରି ନିଜର ଖର୍ଚ୍ଚ ତୁଲାଉଥିଲେ। କଲେଜ ସରିବା ପରେ ସେ ଅଭିନୟରେ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ। ଥିଏଟର ସହ ତେଣୁ ଯୋଡି ହୋଇଥିଲେ ସେ। ଧିରେ ଧିରେ ସେ ଧାରାବାହିକରେ କାମ କରିଥିଲେ। ଦର୍ଶକେ ତାଙ୍କୁ ପସନ୍ଦ କରିଥିଲେ। ଏହାପରେ ସେ ଫିଲ୍ମ ଆଡକୁ ମନ ବଳାଇଥିଲେ।

କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳନ୍ତି। ସେଭଳି କିଛି ହୋଇଥିଲା ଋଷଭଙ୍କ କ୍ଷେତ୍ରରେ। ୨୦୦୪ରେ ତାଙ୍କୁ ପ୍ରଥମ ଫିଲ୍ମ ମିଳିଥିଲା। ଚରିତ୍ର ସାଧାରଣ ଥିଲେ ହେଁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ ସେ। ଅନେକ ବର୍ଷ ପର୍ଯ୍ୟନ୍ତ ସେ ଛୋଟମୋଟ ଚରିତ୍ରରେ ନଜର ଆସୁଥିଲେ। ୨୦୧୯ରେ ତାଙ୍କୁ ମୁଖ୍ୟ କଳାକାର ଭାବେ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା। ଏହି ଫିଲ୍ମରେ ମଧ୍ୟ ସେତେଟା ଖ୍ୟାତି ତାଙ୍କୁ ମିଳି ନ ଥିଲା।

ଶେଷରେ ଋଷଭ କାନ୍ତାରା କାହାଣୀ ଲେଖିଥିଲେ। ନିଜ ଫିଲ୍ମରେ ନିଜେ ଅଭିନୟ କରିଥିଲେ। ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଯାହାର ଫଳ ଏବେ ସମସ୍ତଙ୍କ ସାମ୍ନାରେ ଅଛି। ଦର୍ଶକ ଏହାକୁ ସୁପରହିଟ୍‌ କହୁଥିବା ବେଳେ ଏହା ରୋଜଗାରରେ ସମସ୍ତ ରେକର୍ଡ ଭାଙ୍ଗିଛି। କହିବାକୁ ଗଲେ ଏହି ଫିଲ୍ମ ତାଙ୍କୁ ସୁପରଷ୍ଟାର କରିଛି।

Share