Categories: ଜାତୀୟ

କଶ୍ମୀର ଟାଇଗର୍ସ ଆତଙ୍କବାଦୀ ସଂଗଠନ ପଛରେ କିଏ? ଡୋଡାରେ ଆକ୍ରମଣ ଯୋଗୁ ଶହୀଦ ହୋଇଛନ୍ତି ୫ ଯବାନ…

କଶ୍ମୀର,୧୬।୭: ଜମ୍ମୁ କଶ୍ମୀରର ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ଅଧିକାରୀଙ୍କ ସମେତ ୫ ଯବାନ ଶହୀଦ ହୋଇଛନ୍ତି। ଏହି ଆକ୍ରମଣ ପଛରେ କଶ୍ମୀର ଟାଇଗର୍ସ ଥିବା ସ୍ପଷ୍ଟ ହୋଇଛି। ଏହି ସଂଗଠନ ଜୈସ ଏ ମହମ୍ମଦ ସହ ଜଡ଼ିତ। ଏହା ପୂର୍ବରୁ ଗତ ଜୁଲାଇ ୮ରେ କଠୁଆରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ମଧ୍ୟ ସଂଗଠନ ଥିଲା। ସେତେବେଳେ ମଧ୍ୟ ଆକ୍ରମଣରେ ୫ ଯବାନ ଶହୀଦ ହୋଇଥିଲେ।
ଜମ୍ମୁ କଶ୍ମୀରର ନୂତନ ଆତଙ୍କବାଦୀ ସଂଗଠନ ହେଉଛି ‘କଶ୍ମୀର  ଟାଇଗର୍ସ’। ଅନୁଚ୍ଛେଦ ୩୭୦ ହଟିବା ପରେ ଜାନୁଆରୀ ୨୦୨୧ରେ ଏହାର ମୂଳଦୁଆ ପଡ଼ିଥିଲା। ଏହି ଆତଙ୍କବାଦୀ ସଂଗଠନ ସର୍ବପ୍ରଥମେ କଥିତ ଭାବେ ଶ୍ରୀନଗର ପୋଲିସର ଏକ ବସ୍‌କୁ ଟାର୍ଗେଟ କରିଥିଲା। ଏହି ଆକ୍ରମଣରେ ୩ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ କିଛି ଆହତ ହୋଇଥିଲେ। ଏହି ସଂଗଠନ କଥିତ ଭାବେ କଶ୍ମୀରର ସ୍ବାଧୀନତା ପାଇଁ ଲଢ଼ୁଛି। ଏହାକୁ ଜୈସର ଛଦ୍ମ ସଂଗଠନ ବୋଲି କୁହାଯାଏ। ଆକ୍ରମଣ କରି ଏହା ଦାୟିତ୍ୱ ନିଜ ମୁଣ୍ଡକୁ ନେଇଥାଏ।
ରିପୋର୍ଟ ମୁତାବକ ୨୦୧୯ରୁ ଏଯାବତ  ଜମ୍ମୁ କଶ୍ମୀରରେ ୪ ନୂଆ ଆତଙ୍କବାଦୀ ସଂଗଠନ ହୋଇଛି। ସେଗୁଡ଼ିକ ହେଲା କଶ୍ମୀର ଟାଇଗର୍ସ, ଟିଆର୍‌ଏଫ୍‌, ପିଏଏଫ୍‌ଏଫ୍‌, ଏଲ୍‌ଇଏମ୍‌। ୨୦୨୧ରେ ଜୈସର ଆତଙ୍କବାଦୀ ଅବୁ ଜାର ପକ୍ଷରୁ ଭିଡିଓ ଜାରି କରି ନୂଆ ଆତଙ୍କବାଦୀ ସଂଗଠନ ବିଷୟରେ କହିଥିଲେ। ସ୍ଥାନୀୟ ଆତଙ୍କବାଦୀ ଅଲ୍‌ତାପ ଗତ ବର୍ଷ ଆତଙ୍କବାଦରେ ସାମିଲ ହୋଇଥିଲେ। ଏହା ପୂର୍ବରୁ ସେ କେବଳ ସେମାନଙ୍କ ସହାୟତା କରି ଆସୁଥିଲେ।
ଗତ କିଛି ଦିନ ଧରି ଜମ୍ମୁରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ଦେଖାଯାଇଛି। ବିଶେଷକରି ପୁଚ୍ଛ, ରାଜୌରୀ,ଡୋଡା,ରିଆସି ଏବଂ ଏହାର ନିକଟବର୍ତ୍ତୀ ଜିଲାରେ ଆକ୍ରମଣ ନେଇ ଖବର ଶୁଣିବାକୁ ମିଳୁଛି। ଭାରତୀୟ ବାୟୁସେନାର ବସ୍‌, ତୀର୍ଥଯାତ୍ରୀଙ୍କ ବସ୍‌ ଉପରେ ଆକ୍ରମଣ ଏବଂ କଠୁଆରେ ନିକଟରେ ଯବାନଙ୍କୁ ହତ୍ୟା ଘଟଣା ସୁରକ୍ଷାକୁ ନେଇ ବିପଦ ଥିବା ଦର୍ଶାଉଛି।
Share