କିର୍‌ ଷ୍ଟାର୍ମର କିଏ? ବ୍ରିଟେନ ନିର୍ବାଚନରେ ଯିଏ ସୁନକଙ୍କୁ ଦେଉଛନ୍ତି କଡ଼ା ଟକ୍କର, ହୋଇପାରନ୍ତି ପ୍ରଧାନମନ୍ତ୍ରୀ…

ଲଣ୍ଡନ,୪।୭: ବ୍ରିଟେନ୍‌ରେ ଗୁରୁବାର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ବଡ଼ ଧରଣର ଓଲଟପାଲଟ ହୋଇପାରେ। ଏପରିକି ପ୍ରଧାନମନ୍ତ୍ରୀ ଋଷି ସୁନକ ନିର୍ବାଚନ ହାରିଯାଇପାରନ୍ତି ବୋଲି କୁହାଯାଉଛି। ତାଙ୍କୁ ଲେବର ପାର୍ଟିର ନେତା କିର୍‌ ଷ୍ଟାର୍ମର କଡ଼ା ଟକ୍କର ଦେଇପାରନ୍ତି। ନିର୍ବାଚନରେ ଯଦି ବିଜେତା ହୁଅନ୍ତି ତେବେ ଷ୍ଟାର୍ମର ସରକାର ଗଢ଼ିବାକୁ ପ୍ରସ୍ତୁତ ବୋଲି ଦାବି କରିଛନ୍ତି।
ନିର୍ବାଚନକୁ ନେଇ ଏଯାବତ ଆସିଥିବା ଏଜେନ୍ସିମାନଙ୍କର ସର୍ବେକ୍ଷଣରୁ ସୁନକଙ୍କ ପରାଜୟର ଅନୁମାନ କରାଯାଇଛି। ନିର୍ବାଚନରେ ଅନ୍ତିମ ଓପିନିଅନ ପୋଲର୍‌ରେ ଲେବର ପାର୍ଟି ଅପ୍ରତ୍ୟାଶିତ ବିଜୟ ଏବଂ କନ୍ଜର୍ଭେଟିଭ୍‌ ପାର୍ଟିର ପରାଜୟର ଅନୁମାନ କରାଯାଇଛି। ଏହି ଅନୁମାନକୁ ଦୃଷ୍ଟିରେ ରଖି ଷ୍ଟାର୍ମର ନିର୍ବାଚନ ପରେ ବ୍ରିଟେନରେ ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ଷ୍ଟାର୍ମର ଆଶା ରଖିଥିବା କହିଛନ୍ତି।
ଷ୍ଟାର୍ମର କିଏ?
ବ୍ରିଟେନ୍‌ରେ ୧୯୬୨ ସେପ୍ଟେମ୍ବର ୨ରେ  ଷ୍ଟାର୍ମରଙ୍କ ଜନ୍ମ। ସେ ପେସାରେ ଜଣେ ଓକିଲ। ଏହାଛଡ଼ା ବ୍ରିଟେନ୍‌ ସଂସଦରେ ୨୦୨୦ରୁ ବିରୋଧୀ ଏବଂ ଲେବର ପାର୍ଟିର ନେତା ଅଛନ୍ତି। ସେ ୨୦୧୫ରୁ ୨୦୨୪ ଯାଏ ହୋଲବୋର୍ନ ଏବଂ  ସେଣ୍ଟ ପାନକ୍ରାସରୁ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ। ଷ୍ଟାର୍ମର ୨୦୦୮ରୁ ୨୦୨୩ ଯାଏ ପବ୍ଲିକ ପ୍ରସିକ୍ୟୁସନର ନିର୍ଦ୍ଦେଶକ ଥିଲେ। ସେ ପ୍ରଗତିଶୀଳ  ବିଚାରଧାରାର ନେତା ବୋଲି କୁହାଯାଏ।
୨୦୨୦ରେ ସେ ଲେବର ପାର୍ଟିର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ଦଳକୁ ୮୫ ବର୍ଷରେ ପ୍ରଥମ ଥର ଲାଗି ସବୁଠାରୁ ଖରାପ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରାଜୟ ପରେ ଷ୍ଟାର୍ମର ଦଳକୁ ଏକଜୁଟ କରି ନୂତନ ପ୍ରସଙ୍ଗରେ ଆଗକୁ ବଢ଼ିଥିଲେ। ଦଳକୁ ପୁଣିଥରେ ବିଜେତା କରିବାକୁ ତୁରନ୍ତ ନିଜର ମିଶନ ଘୋଷଣା କରିଥିଲେ। ପରେ ସେ ଦଳକୁ ବ୍ରିଟିଶ ରାଜନୀତିର କେନ୍ଦ୍ରକୁ ଫେରାଇ ଆଣିବା ଏବଂ ଭୋଟରମାନଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିବା କୁହାଯାଉଛି।
Share