Categories: ଜାତୀୟ

ପ୍ରଜ୍ୱଳ ରେବନ୍ନା କିଏ? ଜାଣନ୍ତୁ ତାଙ୍କର ପୂରା କାରନାମା

ବେଙ୍ଗାଲୁରୁ,୩୧ା୫: ଜେଡିଏସ୍‌ ଏମ୍‌ପି ପ୍ରଜ୍ୱଳ ରେବନ୍ନାଙ୍କୁ ବେଙ୍ଗାଲୁରୁର କେମ୍ପାଗୋଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଶୁକ୍ରବାର କର୍ନାଟକ ପୋଲିସର ଏସ୍‌ଆଇଟି ଗିରଫ କରିଛି। ୩୬ଦିନ ପରେ ଜର୍ମାନୀରୁ ଫେରିଥିବା ପ୍ରଜ୍ୱଳଙ୍କୁ ଆଜି କୋର୍ଟରେ ହାଜର କରାଯିବ। ଏସ୍‌ଆଇଟି ରେବନ୍ନାଙ୍କୁ ବେଙ୍ଗାଲୁରୁର ସିଆଇଡି କାର୍ଯ୍ୟାଳୟକୁ ନେଇଛି, ଯେଉଁଠାରେ ତାଙ୍କୁ ଭିଡିଓ ସମ୍ପର୍କରେ ପଚରାଉଚରା କରାଯିବ।

ପ୍ରଜ୍ୱଳ ଶତାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇ ଏହାର ଭିଡିଓ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଥିଲା। ଭିଡିଓ ଲିକ୍‌ ହେବା ମାତ୍ରେ ସେ ଜର୍ମାନୀକୁ ପଳାଇ ଯାଇଥିଲେ। ଏହି ସମୟରେ ଜେଡିଏସ୍‌ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା। ତାଙ୍କୁ ନେଇ ଅନେକ ରାଜନୀତି ହୋଇଥିଲା। କଂଗ୍ରେସ ଭାଜପା ଉପରେ ପ୍ରଶ୍ନ ଉଠାଇ କହିଛି ଯେ, ମହିଳାଙ୍କ ସହ ଅସଦାଚରଣ କରିଥିବା ଅଭିଯୁକ୍ତଙ୍କୁ ଭାଜପା ସମର୍ଥନ କରୁଛି। ଭାଜପା ଏବଂ ଜେଡିଏସ୍‌ ମଧ୍ୟରେ ଏକ ମିଳିତତା ଥିବାରୁ ଏହା କୁହାଯାଇଥିଲା।

ବାସ୍ତବରେ ପ୍ରଜ୍ୱଳ ହେଉଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଜେଡିଏସ୍‌ ମୁଖ୍ୟ ଏଚ୍‌ଡି ଦେବ ଗୌଡ଼ାଙ୍କ ନାତି। ପ୍ରଜ୍ୱଳଙ୍କ ପିତା ଏଚ୍‌ଡି ରେବନ୍ନା କର୍ନାଟକର ପୂର୍ବତନ ମନ୍ତ୍ରୀ। କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାର ସ୍ବାମୀ ହାସନ ଆସନରୁ ବର୍ତ୍ତମାନର ଏମ୍‌ପିଙ୍କ ମାମୁ। ରେବନ୍ନା ପ୍ରଥମଥର ପାଇଁ ୨୦୧୯ରେ ହାସନ ଆସନରୁ ଏମ୍‌ପି ଭାବରେ ନିର୍ବାଚିତ ହୋଇଥିଲେ। ଏଥର ଭାଜପା ଏବଂ ଜେଡିଏସ୍‌ ମିଳିତ ଭାବେ କର୍ନାଟକରେ ନିର୍ବାଚନ ଲଢୁଛନ୍ତି। ଏଭଳି ପରିସ୍ଥିତିରେ ରେବନ୍ନା ପୁଣି ଥରେ ହାସନରୁ ଏନ୍‌ଡିଏ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଛନ୍ତି।

ଯେତେବେଳେ ତାଙ୍କର ପାଖାପାଖି ୩୦୦୦ ଆପତ୍ତିଜନକ ଭିଡିଓ ସାମ୍ନାକୁ ଆସିଲା ସେତେବେଳେ ସେ ଚର୍ଚ୍ଚାକୁ ଆସିଥିଲେ। ଏହି ଭିଡିଓଗୁଡିକରେ ରେବନ୍ନା ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଉଥିବାର ନଜର ଆସିଥିଲେ। ଯୌନ ପୀଡ଼ିତାଙ୍କ ମଧ୍ୟରେ ରେବନ୍ନାଙ୍କ ପାର୍ଟି କର୍ମଚାରୀଙ୍କଠାରୁ ଆରମ୍ଭ କରି ଉଚ୍ଚ ପଦବୀରେ ଥିବା ମହିଳା ଅଧିକାରୀ ରହିଛନ୍ତି। ଭିଡିଓ ସାମ୍ନାକୁ ଆସିବା ପରେ ରେବନ୍ନାଙ୍କ ଅତ୍ୟାଚାରର ଶିକାର ହୋଇଥିବା ଅନେକ ମହିଳା ଆସି ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ।

Share