Categories: ଜାତୀୟ

ପ୍ରେମ ସିଂ ତମାଙ୍ଗ କିଏ? ମାତ୍ର ୧୧ ବର୍ଷ ପୂର୍ବେ ଗଢ଼ିଥିଲେ ଦଳ, ଏବେ ସିକିମ୍‌ରେ କ୍ଲିନ୍‌ ସୁଇପ୍‌ କରି ଦ୍ୱିତୀୟ ଥର ପାଇଁ ହେବେ ମୁଖ୍ୟମନ୍ତ୍ରୀ…

ଗ୍ୟାଙ୍ଗଟକ୍‌,୨।୬: ସିକିମ୍‌ରେ ହୋଇଥିବା ବିଧାନସଭା ନିର୍ବାଚନରେ ପୁଣିଥରେ ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା(ଏସ୍‌କେଏମ୍‌) ସରକାର ଗଢ଼ିବାକୁ ଯାଉଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ଫଳାଫଳ ଅନୁଯାୟୀ ଏସ୍‌କେଏମ୍‌ ପ୍ରଚଣ୍ଡ ବହୁମତ ଆଡକୁ ଅଗ୍ରସର ହେଉଛି। ୩୨ ବିଧାନସଭା ଆସନ ବିଶିଷ୍ଟ  ଏହି ରାଜ୍ୟରେ ଏସ୍‌କେଏମ୍‌ ଏଯାବତ ୧୪ ଆସନରେ ବିଜେତା ହୋଇସାରିଛି। ଏପରିକି ମୋଟ ୩୧ ଆସନରେ ଦଳ ଆଗୁଆ ଥିବାରୁ ଏସବୁରେ ବାଜିମାତ କରିବ ଦେଖାଯାଉଛି। ଏଣୁ ଦଳର ଅଧ୍ୟକ୍ଷ ପ୍ରେମ ସିଂ ତମାଙ୍ଗ ଲଗାତର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ।
ଆସନ୍ତୁ ଜାଣିବା ପ୍ରେମ ସିଂ ତମାଙ୍ଗ କିଏ? ସିକିମ ରାଜନୀତିରେ ତାଙ୍କ ପ୍ରବେଶ କିଭଳି ହେଲା? ତାଙ୍କ ଦଳ ଏସ୍‌କେଏମ୍‌ କିଭଳି ରାଜ୍ୟର ସବୁଠାରୁ ବଡ଼ ପାର୍ଟି ପାଲଟି ଲଗାତର ୨୪ ବର୍ଷ ଯାଏ ଶାସନ କ୍ଷମତାରେ ରହିଥିବା ସିକିମ ଡେମୋକ୍ରାଟିକ୍‌ ଫ୍ରଣ୍ଟ ହାତରୁ କ୍ଷମତା ଛଡ଼ାଇ ଆଣିଛି?
ପ୍ରେମ ସିଂ ତମାଙ୍ଗ କିଏ?
୧୯୬୮ ଫେବୃୟାରୀ ୫ରେ ପ୍ରେମ ସିଂଙ୍କ ଜନ୍ମ। ସେ ଦାର୍ଜିଲିଂର ଏକ କଲେଜରୁ ବିଏ ପଢ଼ିଛନ୍ତି। ଏହାପରେ ସେ ସରକାରୀ ସ୍କୁଲରେ ଶିକ୍ଷକତା କରିଥିଲେ। ହେଲେ ୩ ବର୍ଷ ଚାକିରି କରିବା ପରେ ସେ ସମାଜସେବା ଲାଗି ମନ ବଳାଇଥିଲେ। ପରେ ସେ ସିକିମ ଡେମୋକ୍ରାଟିକ୍‌ ଫ୍ରଣ୍ଟ(ଏସ୍‌ଡିଏଫ୍‌)ରେ ସାମିଲ ହୋଇଯାଇଥିଲେ। ଏଠାରୁ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା। ୧୯୯୪ରୁ ସେ ଲଗାତର ୫ ଥର ସିକିମ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ଯାଏ ସେ ଏସ୍‌ଡିଏଫ୍‌ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ କାମ କରିଥିଲେ।
୨୦୦୯ରେ ନିଜ ପାର୍ଟି କରିଥିଲେ?
୨୦୦୯ରେ ଯେବେ ଏସ୍‌ଡିଏଫ୍‌ ଲଗାତର ୪ର୍ଥ ଥର ଶାସନ କ୍ଷମତାରେ ଆସିବା ପରେ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମଲିଂ ତାଙ୍କୂ ସରକାରରେ ମନ୍ତ୍ରୀ ପଦ ଦେବାକୁ ଅମଙ୍ଗ ହୋଇଥିଲେ। ଏଠାରୁ ହିଁ ଏସ୍‌ଡିଏଫ୍‌ରୁ ଦୂରେଇ ଯାଇଥିଲେ ପ୍ରେମ ସିଂ ତମାଙ୍ଗ। ପରେ ସେ ଇସ୍ତଫା ଦେଇ ୨୦୧୩ରେ ନିଜ ନୂଆ ଦଳ ସିକିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା ଗଢ଼ିଥିଲେ। ଏହାର ଆଗାମୀ ବର୍ଷ ୨୦୧୪ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ତାଙ୍କ ଦଳ ୧୦ ଆସନରେ ବିଜେତା ହୋଇଥିଲା। ସେହିଭଳି ୨୦୧୯ରେ ସେ ୧୭ ଆସନ ହାସଲ କରି ଏସ୍‌ଡିଏଫ୍‌କୁ ଶାସନ କ୍ଷମତାରୁ ବାହାର କରିଥିଲେ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ।
୨୦୧୬ରେ ଯାଇଥିଲେ ଜେଲ:
ପ୍ରେମ ସିଂ ୧୯୯୪ ଏବଂ ୧୯୯୯ରେ ସରକାରୀ ଟଙ୍କାକୁ ହେରପେର କରିଥିବା ନେଇ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ବିଧାନସଭା ସଦସ୍ୟତା ହରାଇବାକୁ ପଡ଼ିଥିଲା। ଏପରିକି ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ସେ ରାଜ୍ୟର ପ୍ରଥମ ନେତା ଥିଲେ ଯାହାଙ୍କୁ ଦଣ୍ଡ ମିଳିବା ପରେ ବିଧାନସଭା ସଦସ୍ୟ ପଦରୁ ହଟାଯାଇଥିଲା। ୨୦୧୮ରେ ଯେତେବେଳେ ଜେଲଦଣ୍ଡ ଭୋଗି ଫେରିବା ପରେ ତାଙ୍କୁ ବଡ଼ ଜନସମର୍ଥନ ମିଳିଥିଲା।
Share