Categories: ଖେଳ

କିଏ ସେ ରଜତ ପାଟିଦାର? ଆହତ ଶ୍ରେୟସଙ୍କ ସ୍ଥାନରେ ଯାହାଙ୍କୁ ମିଳିଲା ଡେବ୍ୟୁ ସୁଯୋଗ

ହାଇଦ୍ରାବାଦ,୧୭।୧: ଟିମ୍‌ ଇଣ୍ଡିଆ ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଖେଳିବ। ଏହାପୂର୍ବରୁ ଆହତ  ଯୋଗୁ ଭାରତୀୟ ଟିମ୍‌ରୁ ବାଦ୍‌ ପଡ଼ିଛନ୍ତି ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ ଆୟାର।  ତେବେ ତାଙ୍କ ବଦଳରେ ଦଳରେ ରଜତ ପାଟିଦାରଙ୍କୁ ସୁଯୋଗ ମିଳିଛି। ଆସନ୍ତୁ ଜାଣିବା ସେ କିଏ…

୧୯୯୩ ଜୁନ ୧ରେ ମଧ୍ୟପ୍ରଦେଶ ଇନ୍ଦୋରରେ ରଜତଙ୍କ ଜନ୍ମ। ଏବେ ତାଙ୍କୁ ୨୯ ବର୍ଷ ବୟସ ହୋଇଥିବା ବେଳେ ସେ ଜଣେ ଡାହାଣ ହାତୀ ବ୍ୟାଟ୍ସମ୍ୟାନ୍‌। ଏକ ବ୍ୟବସାୟୀ ପରିବାରରୁ ଆସିଥିବା ରଜତ ୮ ବର୍ଷ ବୟସରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ତାଙ୍କ ଦାଦା ଏକ କ୍ରିକେଟ ଏକାଡେମୀରେ ତାଙ୍କୁ ଭର୍ତ୍ତି କରିଥିଲେ। ପ୍ରାରମ୍ଭରୁ ସେ ବୋଲିଂ କରୁଥିଲେ ହେଁ ଅଣ୍ଡର-୧୫ସ୍ତରରେ ପହଞ୍ଚିବା ପରେ ବ୍ୟାଟିଂ ଉପରେ ଧ୍ୟାନ ଦେଇଥିଲେ। ଧିରେ ଧିରେ ସେ ଭଲ ବ୍ୟାଟ୍ସମ୍ୟାନ୍‌ ପାଲଟିଥିଲେ।

୨୦୧୫-୧୬ରେ ରଣଜୀ ଟ୍ରଫି ସିଜନ ସହ ସେ ଫାଷ୍ଟ କ୍ଲାସ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ୨୦୧୮-୧୯ ରଣଜୀ ଟ୍ରଫି ସିଜରେ ସେ ୮ ମ୍ୟାଚ୍‌ରେ ୭୧୩ ରନ୍‌ କରିଥିଲେ। ଫଳରେ ସେ ମଧ୍ୟପ୍ରଦେଶ କ୍ରିକେଟ ଟିମ୍‌ ଲାଗି ସର୍ବାଧିକ ରନ୍‌ କରିଥିବା ଖେଳାଳି ପାଲଟିଥିଲେ।

ଆଇପିଏଲ ୨୦୨୧ ନିଲାମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତାଙ୍କୁ କିଣିଥିଲା। ଏହାପରେ ୨୦୨୨ରେ ସେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ବିପକ୍ଷରେ ଏଲିମିନେଟର ମୁକାବିଲାରେ ୫୪ ବଲ୍‌ରେ ଅପରାଜିତ ୧୧୨ ରନ୍‌ର ଶତକୀୟ ଇନିଂସ ଖେଳି ସମସ୍ତଙ୍କୁ ଚମକାଇଥିଲେ। ଏବେ ଦୀର୍ଘ ଦିନର ଅପେକ୍ଷା ପରେ ତାଙ୍କୁ ଜାତୀୟ ଦଳରେ ସୁଯୋଗ ମିଳିଛି। ଏହାକୁ ନେଇ ସେ ବେଶ ଉତ୍ସାହିତ ମଧ୍ୟ ଅଛନ୍ତି।

Share