
ବିଶ୍ୱର ସର୍ବଶ୍ରେଷ୍ଠ ଧନୀମାନଙ୍କର ତାଲିକା ସମୟ ସମୟରେ ଗଣମାଧ୍ୟମରେ ପ୍ରକାଶିତ ହେବା ଆମ ଆଖିରେ ପଡେ। ସେହିପରି ସବୁଠାରୁ ଧନୀ ଦେଶ ହିସାବରେ କୌଣସି ଭୂଖଣ୍ଡ ଆମ ଆଲୋଚନାର ପରିସରଭୁକ୍ତ ହୋଇଯାଏ। ଗାଅଁାରେ କୌଣସି ସ୍ଥାନରେ ଦୁଇ ଚାରିଜଣ ଏକାଠି ହେଲେ ସେମାନଙ୍କ ଭିତରେ ବିଭିନ୍ନ ଆଲୋଚନା ଜମିଉଠେ। ସେଇ ଭିତରେ ସେଇ ଗାଅଁାର ଅଥବା ଆଖପାଖ ଅଞ୍ଚଳର ସବୁଠାରୁ ଧନୀ ଲୋକଟି କିଏ, ସେ ସମ୍ପର୍କରେ ମଧ୍ୟ କିଛି ଆକଳନ କରାଯାଏ। ମୋଟାମୋଟି ଧନକୁ ନେଇ ଆମେ ଅନେକ ସମୟରେ ଅଙ୍କ କଷିବସୁ। ଧନ ପ୍ରତି ଆମ ମନରେ ଥିବା ଆକର୍ଷଣ, ଆକାଙ୍କ୍ଷା, ଉଦ୍ବେଗ ଓ ମୋହ ବୋଧହୁଏ ଆମକୁ ଏପରି କରିବାପାଇଁ ବାଧ୍ୟ କରିଦିଏ।
ଧନୀ ହେବାର ଅର୍ଥ କ’ଣ? ବହୁତଗୁଡିଏ ଧନ ସଂଗ୍ରହକରି ପାଖରେ ଗଚ୍ଛିତକରି ରଖିବା ଅଥବା ନିଜ ନାମରେ ବ୍ୟାଙ୍କରେ ଜମା କରିବା? ଧନ କହିଲେ ଆମେ ସାଧାରଣତଃ ଟଙ୍କା ପଇସା, ସୁନାରୁପା, ଜମିଜମା, କୋଠାବାଡି ଏ ସବୁକୁ ହିଁ ବୁଝିଥାଉ। ଆଉ ଆମ ଜାଣତରେ ଏସବୁ ଯାହାପାଖରେ ପ୍ରଚୁର ପରିମାଣରେ ରହିଛି, ତାକୁ ଆମେ ବହୁତ ସମ୍ମାନ ଜଣାଉ। ସତକଥା କହିବାକୁ ଗଲେ ଧନ ପ୍ରତି ମନୁଷ୍ୟମାନଙ୍କ ମନରେ ଦୁର୍ବଳତା ଏତେ ବେଶି ଯେ ଧନର ପ୍ରଭାବରେ କୁରୂପ ସୁରୂପରେ, ଖଳ ସଜ୍ଜନରେ ଏବଂ ଦୁଶ୍ଚରିତ୍ର ସଚ୍ଚରିତ୍ରରେ ପରିଣତ ହୋଇଯାଏ। ଭର୍ତ୍ତୃହରିଙ୍କ ମତରେ-”ଯସ୍ୟାସ୍ତି ବିତ୍ତଂ ସ ଜନଃ କୁଳୀନଃ ସ ପଣ୍ଡିତଃ ସଃ ରୂପବାନ ଗୁଣଜ୍ଞଃ। ସ ଏବ ବକ୍ତା ଓ ଚ ଦର୍ଶନୀୟଃ ସର୍ବେ ଗୁଣାଃ କାଞ୍ଚନମାଶ୍ରୟନ୍ତି।“ ବ୍ୟକ୍ତିର ଚରିତ୍ର ପଥରେ ଯେତେ ଖାଲଖମା ଥାଉ ନା କାହିଁକି, ଧନରୂପୀ ଢେଲାପଥର ପଡି ସେସବୁ ପୋତିହୋଇ ଅନାୟାସରେ ସମତୁଲ ହୋଇଯାଏ। ସାଧାରଣ ଲୋକଟି କିଛି ଦୋଷ କଲେ ତା’ ପାଇଁ ଦଣ୍ଡ ଥାଏ ସିନା, ଧନୀ ଏବଂ ସମ୍ଭ୍ରାନ୍ତ ପାଇଁ ସାତଖୁଣ ମାଫ୍ ହୋଇଯାଏ।
ଧନୀଲୋକମାନଙ୍କୁ ଅଧିକ ଧନ ଆହରଣ କରିବାର ବିଭିନ୍ନ କୌଶଳ ସେମାନଙ୍କୁ ଜଣାଥାଏ। ଧନ ସଂଗ୍ରହ କରିବା ସମୟରେ ସେମାନେ ନୀତି ଅନୀତି ବିଚାର କରି ନ ଥାନ୍ତି। ନୀତି ଓ ବିଚାର ସହିତ ସଦୁପାୟରେ ଜଣେ ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଧନ ସଞ୍ଚୟ କରିପାରେ। ସତ୍ ପ୍ରବୃତ୍ତିସମ୍ପନ୍ନ ଲୋକମାନଙ୍କ ଉପରେ ମା’ ଲକ୍ଷ୍ମୀ ସଦାପ୍ରସନ୍ନ ହୋଇ ରହନ୍ତି। ପରିଶ୍ରମୀ ଲୋକମାନେ ମଧ୍ୟ ସେମାନଙ୍କର ଆବଶ୍ୟକତା ମୁତାବକ ଧନ ସଞ୍ଚୟ କରିପାରନ୍ତି। ଲୋଭୀ ଲୋକଟିଏ ତା’ର ଖାଦ୍ୟପେୟ, ବସ୍ତ୍ର, ବାସଗୃହର ଖର୍ଚ୍ଚକାଟ କରି ଧନୀ ହୋଇପାରେ। କିନ୍ତୁ କୌଶଳୀ ଲୋକମାନଙ୍କ ତୁଳନାରେ ଏମାନେ କିଛି ନୁହନ୍ତି। ବାସ୍ତବରେ ଧନ ସଂଗ୍ରହରେ ବିଭିନ୍ନ କୌଶଳ ଜଣାଥିବା ଲୋକେ ପରଧନକୁ ନିଜର ଧନ ବୋଲି ମାନି ନେଇଥାନ୍ତି। କାହାକୁ ମିଛ କହି, ଠକି, କାହାକୁ ଭଣ୍ଡି ଅଥବା କାହାକୁ ତେଲ ମାଲିସକରି ସେମାନଙ୍କ ଧନକୁ ଆତ୍ମସାତ୍ କରିବାର କାଇଦା ପ୍ରୟୋଗ କରିଥାନ୍ତି ସେମାନେ। ବ୍ୟାସକବି ଫକୀରମୋହନ ତାଙ୍କର ‘ଛ ମାଣ ଆଠଗୁଣ୍ଠ’ ଉପନ୍ୟାସରେ ଅନ୍ୟର ଧନକୁ ଆତ୍ମସାତ୍ କରିବାର ସୁନ୍ଦର ଚିତ୍ର ପ୍ରଦାନ କରିଛନ୍ତି। ଅଶିକ୍ଷା ଓ ଅନ୍ଧବିଶ୍ୱାସ ଆଦି ଛାଇ ରହିଥିବା ସେ ସମୟର ସମାଜରେ ରାମଚନ୍ଦ୍ର ମଙ୍ଗରାଜଙ୍କ ପରି ଲୋକମାନେ କେତେ ପ୍ରକାରରେ ଜାଲ ପକାଇ କେତେ ଭଗିଆ ସାରିଆମାନଙ୍କୁ ଲୁଟି ଚାଲିଥିଲେ। ଭଗିଆ ଓ ସାରିଆଙ୍କର ଛମାଣ ଆଠଗୁଣ୍ଠ ଜମି ସାଙ୍ଗକୁ ନେତ ନାମକ ଗାଈକୁ ନିଜର କରିବା ପାଇଁ ରାମଚନ୍ଦ୍ର କ’ଣ କ’ଣ ନ କରିଛନ୍ତି। ଅନ୍ୟାୟ ଉପାୟରେ ଅନ୍ୟର ଧନକୁ ଆତ୍ମସାତ୍ କରିବାର ୟାଠାରୁ ଅଧିକ ନିଚ୍ଛକ ଉଦାହରଣ ଆଉ କ’ଣ ହୋଇପାରେ?
ଆମେ କେବଳ ଟଙ୍କା ପଇସା, ସୁନାରୁପା, ଜମିଜମା, ଘରଦ୍ୱାରକୁ ଧନ ବୋଲି ମାନୁ ସିନା, ଧନ-ସମ୍ପତ୍ତିର ଆହୁରି ଅନେକ ରୂପ ଅଛି। ଯେମିତି ଶାରୀରିକ ସୌନ୍ଦର୍ଯ୍ୟ ଏବଂ ସୌଷ୍ଠବ ମଧ୍ୟ ଧନ। ମାନସିକ ସୁସ୍ଥତା, ସୌନ୍ଦର୍ଯ୍ୟ ଓ ସୌଷ୍ଠବ ମଧ୍ୟ ଗୋଟିଏ ସମ୍ପତ୍ତି। ଚରିତ୍ର ତଥା ସଚ୍ଚୋଟ ମନୋଭାବ ମଧ୍ୟ ଧନ। ଉତ୍ତମ ବ୍ୟବହାର ମଧ୍ୟ ଧନ। ପ୍ରେମ ଓ ବନ୍ଧୁତା ମଧ୍ୟ ଧନ। ଯଶ ଓ ସୁନାମ ମଧ୍ୟ ଧନ। ସେମିତି କେତେକ ପ୍ରକାର ଧନ ବ୍ୟକ୍ତି ସ୍ତରର ହୋଇଥିବାବେଳେ ଆଉ କେତେକ ସାମୂହିକ ତଥା ରାଷ୍ଟ୍ର ସ୍ତରର ହୋଇଥାନ୍ତି। ଐତିହାସିକ କୀର୍ତ୍ତିରାଜି, ପ୍ରାଚୀନ ଧର୍ମସ୍ଥଳ ଇତ୍ୟାଦି ରାଷ୍ଟ୍ରର ସମ୍ପତ୍ତି ହୋଇଥାନ୍ତି। ବ୍ୟକ୍ତି ଯେପରି ନିଜ ଧନର ସଂରକ୍ଷଣ କରିଥାଏ, ସେହି ରୀତିରେ ରାଷ୍ଟ୍ର ମଧ୍ୟ ଏପରି ସମ୍ପତ୍ତିର ସଂରକ୍ଷଣ କରିବା ଉଚିତ ହୋଇଥାଏ।
ଗୋଟିଏ ଦୃଷ୍ଟିକୋଣରୁ ଦେଖିଲେ ଟଙ୍କାପଇସା, ସୁନାରୁପା ହୁଏତ ଆମକୁ ସ୍ବଳ୍ପକାଳୀନ ଅୟସ ପ୍ରଦାନ କରିପାରେ, ସମାଜରେ ଆମର ଖାତିର ବୃଦ୍ଧି କରିବାରେ ସହାୟକ ହୋଇପାରେ, କିନ୍ତୁ ଏସବୁ ମାନସିକ ଶାନ୍ତି ପ୍ରଦାନ କରିପାରେନା। ପ୍ରାଣୀର ମନ ଓ ଚିତ୍ତବୃତ୍ତିକୁ ପରୀକ୍ଷା କରି ଦେଖାଯାଇଛି, ମାନସିକ ଶାନ୍ତି ହିଁ ହେଉଛି ସବୁଠାରୁ ମୂଲ୍ୟବାନ୍ ଧନ। ଅଧିକରୁ ଅଧିକ ଟଙ୍କାସୁନା ରଖିଥିବା ଲୋକଟିର ମନରେ ବିଭିନ୍ନ ବିଷୟକୁ ନେଇ ଏତେ ଉଦ୍ବେଗ ଥାଏ ଯେ ସେ ରାତିରେ ଶାନ୍ତିରେ ଟିକିଏ ଶୋଇପାରେ ନାହିଁ। ଶାନ୍ତି ସେ ପାଇବ ବା କାହୁଁ ? ଆମ ଶରୀରରେ ଆମେ ଖାଉଥିବା ଖାଦ୍ୟ କ୍ରମେ ରକ୍ତ, ମାଂସ, ଅସ୍ଥି, ମଜ୍ଜା, ଶୁକ୍ରରେ ପରିଣତ ହେବା ପରି ମନରେ ଶାନ୍ତି ସୃଷ୍ଟି ହେବା ନିମିତ୍ତ ଆମର କାର୍ଯ୍ୟ, କର୍ତ୍ତବ୍ୟ, ନିଷ୍ଠା, ଭାବନା, ଭକ୍ତି, ଶ୍ରଦ୍ଧା ଏସବୁର ମିଶ୍ରଣ ଓ ସମନ୍ବୟ ଆବଶ୍ୟକ ହୁଏ।
ମହାଆଡମ୍ବରରେ ନିଜର ଆଭିଜାତ୍ୟକୁ ପ୍ରଦର୍ଶନ କରି ହାତୀ ଉପରେ ଚଢ଼ି ରାଜପଥରେ ଅନ୍ୟ ରାଜ୍ୟ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଯାଉଥିବା ରାଜା ରାସ୍ତା ଉପରେ ଜଣେ ଭିକ୍ଷୁକକୁ ଦେଖି ତାକୁ କିଛି ଧନ ଦେଇ ସାହାଯ୍ୟ କରିବାକୁ ଚାହିଁଲେ। ଭିକ୍ଷୁକ କହିଲା-ରାଜନ୍! ମୋର ତୁମଠାରୁ କୌଣସି ସାହାଯ୍ୟ ଆବଶ୍ୟକ ନାହିଁ। ତା’ ଛଡା ତୁମେ ମୋତେ କ’ଣ ବା ସାହାଯ୍ୟ କରିପାରିବ? ତୁମେ ତ ନିଜେ ଜଣେ ଦରିଦ୍ର। ନଚେତ୍ ନିଜ ରାଜ୍ୟରେ ନିଜ ପ୍ରଜାଙ୍କର ସୁଖ ଓ ଉନ୍ନତି କଥା ଚିନ୍ତା ନ କରି ଅନ୍ୟ ରାଜ୍ୟ ଆକ୍ରମଣ କରିବାକୁ ଯାଉଥାନ୍ତ କାହିଁକି? ମୋ ମନରେ ତୁମପରି ତୃଷ୍ଣା ନାହିଁ, ଯାହା ଦରିଦ୍ରତାର ପ୍ରତୀକ ହୋଇଥାଏ। ତୃଷ୍ଣା ନାହିଁ, ସେହି ହେତୁରୁ ମୋ ମନରେ ଶାନ୍ତି ରହିଛି। ପିନ୍ଧିଥିବା ବସ୍ତ୍ରଖଣ୍ଡିଏ ହିଁ ମୋର ସମ୍ବଳ। ସେଥିରେ ମୁଁ ସୁଖୀ। ତୁମେ ରାଜସେବାରେ ସୁଖୀ। ଅବଶ୍ୟ ସେହି ଦୃଷ୍ଟିରୁ ତୁମ ସହିତ ମୋର ସମାନତା ରହିଛି। ମନରେ ଶାନ୍ତି ଅନୁଭବ କରିବା ପରେ ଆଉ ଧନୀ କିଏ ନା ଦରିଦ୍ର କିଏ?
ମନସି ଚ ପରିତୁଷ୍ଟେ କୋଽର୍ଥବାନ୍ କୋ ଦରିଦ୍ରଃ?
ମୋ:୯୪୩୮୩୨୮୭୫୫