Categories: ଖେଳ

ବାପାଙ୍କୁ ଧୋନୀ ଦେଇଥିଲେ ପ୍ରତିଶ୍ରୁତି, ଅକ୍ସନରେ ଆଦିବାସୀ ପରିବାରରୁ ଆସିଥିବା ରବିନଙ୍କୁ କିଣିବା ଲାଗି ଲଢ଼ିଲେ ଆଇପିଏଲ୍‌ର ଦୁଇ ଚାମ୍ପିୟନ୍‌ ଟିମ୍‌, ଶେଷରେ…

ରାଞ୍ଚି,୨୧।୧୨: ‘ରାଞ୍ଚିର ଗେଲ୍‌ ’ ନାମରେ ଖ୍ୟାତ ରବିନ୍‌ ମିଞ୍ଜଙ୍କ ବାପା ଫ୍ରାନ୍ସିସ୍‌ ଜାଭିୟର ମିଞ୍ଜ ସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ। ୪୮ ବର୍ଷ ବୟସରେ ସେ ଏବେ ରାଞ୍ଚି ବିମାବନ୍ଦରରେ ସୁରକ୍ଷା କର୍ମୀ ଭାବେ ନିୟୋଜିତ ଅଛନ୍ତି। ଡିସେମ୍ବର ୧୯ରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୪ର ଅକ୍ସନ ସମୟରେ ସେ ଯାତ୍ରୀଙ୍କୁ ବୋଡିଂ ପାସ୍‌ ଦେଉଥିଲେ। ହେଲେ ଅକ୍ସନରେ ତାଙ୍କର ୨୧ ବର୍ଷୀୟ ପୁଅ ରବିନଙ୍କୁ କିଣିବା ଲାଗି ୨ ପୂର୍ବ ଚାମ୍ପିୟନ ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଡାକରା ହୋଇଥିଲା। ଶେଷରେ ଗୁଜରାଟ ରବିନଙ୍କୁ ୩.୬୦ କୋଟି ଟଙ୍କାରେ କିଣିଥିଲା।

ପୁଅଙ୍କୁ କୋଟି କୋଟି ଟଙ୍କାରେ କିଣାଯାଇଥିବା ଖବରକୁ ଜଣେ ସିଆଇଏସ୍‌ଏଫ୍‌ ଅଧିକାରୀ ଦେଇଥିଲେ। ଏପରିକି ସେ ଏବେ କୋଟିପତି ହୋଇଯାଇଥିବା କହିଥିଲେ। ତେବେ ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ତାଙ୍କ ପୁଅଙ୍କୁ କେହି ନ କିଣିଲେ ସେ କିଣିବେ ବୋଲି ପ୍ରତିଶ୍ରୁତି ଦେଇଥିବା ନିକଟରେ ସେ ସାକ୍ଷାତକାରରେ କହିଛନ୍ତି।

ରବିନ ଆଦିବାସୀ ପରିବାରରୁ ଆସିଛନ୍ତି। ଗୁମଲା ଜିଲାର ତେଲଗାଓଁର ବାସିନ୍ଦା ସେ। ଏହା କ୍ରିକେଟ ନୁହେଁ ବରଂ ହକି ପାଇଁ ଜଣାଶୁଣା। କାରଣ ଏଠାରୁ ଅନେକ ବିଶ୍ୱସ୍ତରୀୟ ହକି ଖେଳାଳି ବାହାରିଛନ୍ତି।

ଫ୍ରାନ୍ସିସ୍‌ଙ୍କର ଖେଳରେ ରୁଚି ରହିଥିଲା। ଏଥିଲାଗି ତାଙ୍କୁ ସେନାରେ ଚାକିରି ମିଳିଥିଲା। ଏହାପରେ ତାଙ୍କ ପରିବାର ରାଞ୍ଚି ଚାଲିଯାଇଥିଲା। ସେଠାରେ ହିଁ ରବିନ କ୍ରିକେଟକୁ ବାଛିଥିଲେ। ୨୦୦୦ ଦଶକର ଅଧିକାଂଶ ପିଲା ଭଳି ସହରର ଲୋକପ୍ରିୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ହେବାକୁ ଚାହିଁଥିଲେ। ଧୋନୀଙ୍କ ଭଳି ଚଞ୍ଚଳ ବାନାର୍ଜୀ ହିଁ ରବିନଙ୍କର କୋଚ୍‌ ଥିଲେ। ସେ ତାଙ୍କୁ ଦେଖି ଧୋନୀଙ୍କୁ ମନେ ପକାଉଥିଲେ। ସେହିଭଳି ତାଙ୍କ ବ୍ୟାଟିଂର କୋଚ୍‌ ଆସିଫ ହକ୍‌ ତାଙ୍କ ତୁଳନା ଓ୍ବେଷ୍ଟଇଣ୍ଡିଜର ପାଓ୍ବାରହାଉସ୍‌ କ୍ରିସ୍‌ ଗେଲଙ୍କ ସହ କରିଥାନ୍ତି।

ଏକଦା ଫ୍ରାନ୍ସିସ୍‌ ବିମାନବନ୍ଦରରେ ଧୋନୀଙ୍କୁ ଭେଟିଥିଲେ। ସେ ପୁଅଙ୍କ ବିଷୟରେ ପଚାରିବାରୁ ଯଦି କେହି ତାଙ୍କୁ ନେବେନାହିଁ ତେବେ ଆମେ ନେବୁ ବୋଲି କହିଥିଲେ।

Share