Categories: ଜାତୀୟ

କିଏ ସେ ସ୍ବୟଂମ୍ଭୁ ‘ଭୋଲେ ବାବା’? ଯାହାଙ୍କ ସତସଙ୍ଗ ବେଳେ ଦଳାଚକଟା ଯୋଗୁ ଅବେଳରେ ଝଡ଼ିଗଲା ୧୦୦ ଜୀବନ…

ଲକ୍ଷ୍ନୌ,୨।୭: ଉତ୍ତରପ୍ରଦେଶର ହାଥରସ୍‌ରେ ମଙ୍ଗଳବାର ବଡ଼ ଅଘଟଣ ଘଟିଛି। ଏଠାରେ ‘ଭୋଲେ ବାବା’ଙ୍କ ସତସଙ୍ଗରେ ହଠାତ ଦଳାଚକଟା ହେବା ଯୋଗୁ ୧୦୦ରୁ ଅଧିକ ଜୀବନ ଚାଲିଯାଇଛି। ଏବେବି ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଏମିତି ସ୍ଥିତିରେ ଉକ୍ତ ବାବା ଏବଂ ସତସଙ୍ଗ ଆୟୋଜନ ଉପରେ ପ୍ରଶ୍ନ ଉଠିଛି।
ସନ୍ଥ ‘ଭୋଲେ ବାବା’ଙ୍କୁ ହାଥରସ୍‌ରେ ନାରାୟଣ ସାକାର ହରି ସ୍ବୟଂମ୍ଭୁ ଭୋଲେ ବାବା ବୋଲି କୁହାଯାଏ। ତାଙ୍କର ସତସଙ୍ଗ ପ୍ରତି ମଙ୍ଗଳବାର ହୋଇଥାଏ। ଲୋକେ ତାଙ୍କୁ ‘ଭୋଲେ ବାବା’ କହିଥାନ୍ତି। ଆସନ୍ତୁ ଜାଣିବା ସେ କିଏ?
ଗଣମାଧ୍ୟମ ରିପୋର୍ଟ ମୁତାବକ, ନାରାୟଣ ସାକାର ବିଶ୍ୱ ହରି ଭୋଲେ ବାବା ଉତ୍ତରପ୍ରଦେଶ ଏଟା ଜିଲା ବାହାଦୁର ନଗର ଗ୍ରାମର ବାସିନ୍ଦା। ସେ ନିଜର ପାଠପଢ଼ା ଶେଷ କରିବା ପରେ ପୋଲିସରେ ଚାକିରି କରିଥିଲେ। ହେଲେ ସେ ଭିଆର୍‌ଏସ୍‌ ନେଇ ଆଧ୍ୟାତ୍ମ ମାର୍ଗକୁ ଆସିଥିଲେ।
ଭିଆର୍‌ଏସ୍‌ ନେବା ପରେ ଭଗବାନଙ୍କ ସାକ୍ଷାତ ଦର୍ଶନ ମିଳିଥିଲା। ଏହାପରେ ସେ ତାଙ୍କ ଜୀବନକୁ ମାନବ କଲ୍ୟାଣରେ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ଏବେ ସେ ନିଜର ଅନୁଗାମୀଙ୍କ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ସତସଙ୍ଗ କରିଥାନ୍ତି। ସେଠାକୁ ଯାଇ ଦାନ, ଦକ୍ଷିଣା, ଭେଟ ଆଦିକୁ ସେ ନିଜ ପାଖରେ ରଖନ୍ତି ନାହିଁ ବରଂ ଭକ୍ତମାନଙ୍କ ମଧ୍ୟରେ ଖର୍ଚ୍ଚ କରିଦେଉଥିବା ବାବା କୁହନ୍ତି। ଏବେ କିଛି ଆଇଏଏସ୍‌ ଏବଂ ଆଇପିଏସ୍‌ ତାଙ୍କର ଶିଷ୍ୟ ମଧ୍ୟ ଥିବା ସେ ଦାବି କରନ୍ତି।
ପ୍ରଥମେ ସେ ଗାଁର ଛୋଟିଆ କୁଟୀରରୁ ସତସଙ୍ଗ ଆରମ୍ଭ କରିଥିଲେ। ଧିରେ ଧିରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ବଢ଼ିଥିଲା। ଏବେ ହଜାର ହଜାର ସଂଖ୍ୟାରେ ଲୋକ ତାଙ୍କ କଥା ଶୁଣିବାକୁ ଆସିଥାନ୍ତି। ସେ ନିଜକୁ ଭଗବାନଙ୍କ ସେବକ ବୋଲି କହୁଥିଲେ ହେଁ ତାଙ୍କ ଭକ୍ତ ବାବାଙ୍କୁ ଭଗବାନଙ୍କ ଅବତାର ବୋଲି ମାନିଥାନ୍ତି।
ତାଙ୍କ ସତସଙ୍ଗକୁ ଯିଏ ବି ଯାଆନ୍ତି ତାଙ୍କୁ ପ୍ରସାଦ ଭାବେ ପାଣି ପିଆଯାଏ। ଏହି ପାଣି ପିଇଲେ ସମସ୍ତ ସମସ୍ୟା ଶେଷ ହୁଏ ବୋଲି ଧାରଣା ରହିଛି। ଲୋକେ ତ ଏହାକୁ ନିଜ ସହ ଆଣିଥିବା ବୋତଲରେ ଭର୍ତ୍ତି କରି ଘରକୁ ନେଇଥାନ୍ତି।
ତେବେ ଧଳା ପୋଷାକ ପିନ୍ଧି ବାବା ପ୍ରବଚନ ଦେଇଥାନ୍ତି। ମଞ୍ଚ ଉପରେ ତାଙ୍କ ସହ ପତ୍ନୀ ମଧ୍ୟ ରହିଥାନ୍ତି, ତାଙ୍କୁ ଲକ୍ଷ୍ମୀ ବୋଲି କୁହାଯାଇଥାଏ। ତାଙ୍କ ଶରଣକୁ ଆସୁଥିବା ପ୍ରତିଟି ବ୍ୟକ୍ତିଙ୍କ କଲ୍ୟାଣ ହୁଏ ବୋଲି ସେ ଦାବି କରିଥାନ୍ତି।
Share