କିଏ ସେ ଶାନ୍ତନୁ ନାଇଡୁ? ମାତ୍ର ୩୧ ବର୍ଷରେ ପାଲଟିଥିଲେ ରତନ ଟାଟାଙ୍କ ବନ୍ଧୁ, ଅନ୍ତିମ ଯାତ୍ରାରେ ଆଗରେ ରହି ଦେଲେ ବିଦାୟ…

ନୂଆଦିଲ୍ଲୀ,୧୧।୧୦: ପ୍ରତ୍ୟେକଙ୍କ ଜୀବନରେ ଏକ ଅଦେଖା ଖାଲିପଣ ଥାଏ, ଯାହାକୁ ବନ୍ଧୁଟିଏ ପୂର୍ଣ୍ଣ କରିଥାଏ। ସେଥିଲାଗି କୁହାଯାଏ ବନ୍ଧୁ ହେବା ପାଇଁ କୌଣସି ବୟସ ନ ଥାଏ। ଠିକ୍‌ ସେହିଭଳି ସମ୍ପର୍କ ବିଶିଷ୍ଟ ଶିଳ୍ପପତି ରତନ ଟାଟା ଜଣେ ୩୧ ବର୍ଷର ଯୁବକଙ୍କ ସହ ରଖିଥିଲେ। ବୁଧବାର ରତନଙ୍କ ପରଲୋକ ପରେ ହଠାତ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ ଛଳ ଛଳ ଆଖିରେ ନିଜର ବନ୍ଧୁଙ୍କୁ ବିଦାୟ ଦେଉଥିବା ଅନେକଙ୍କୁ ଭାବବିହ୍ବଳ କରୁଛି।

ଯେଉଁ ଯୁବକଙ୍କ ବିଷୟରେ ଆମେ କହୁଛୁ, ସେ ହେଲେ ଶାନ୍ତନୁ ନାଇଡୁ। ସେ ରତନ ଟାଟାଙ୍କ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ। ତାଙ୍କୁ ମାତ୍ର ୩୧ ବର୍ଷ ହୋଇଥିଲେ ହେଁ ନିଜର ପାରଦର୍ଶିତାକୁ ନେଇ ରତନଙ୍କ ବନ୍ଧୁ ହେବାରେ ସଫଳ ହୋଇଥିଲେ ସେ। ପାରିବାରିକ ସମ୍ପର୍କ ନ ଥିଲେ ହେଁ ରତନ ଟାଟା ଅଧିକାଂଶ ସମୟ ଶାନ୍ତନୁଙ୍କ ସହ ବିତାଉଥିଲେ। ଅଧିକାଂଶ ସମୟ ଦୁହେଁ ଏକାଠି ନଜର ଆସୁଥିଲେ।

ତେବେ ଶାନ୍ତନୁ ଟାଟା ଟ୍ରଷ୍ଟର ଡେପୁଟି ଜେନେରାଲ ମ୍ୟାନେଜର ଭାବେ କାମ କରୁଥିଲେ। ତାଙ୍କ ପ୍ରତିଭା ରତନ ଟାଟାଙ୍କୁ ପସନ୍ଦ ଆସିଥିଲା। ଫଳରେ ଶାନ୍ତନୁଙ୍କୁ ସେ ତାଙ୍କ ଆସିଷ୍ଟାଣ୍ଟ ହେବାକୁ ପଚାରିଥିଲେ। ପରେ ୨୦୨୨ରେ ସେ ରତନ ଟାଟାଙ୍କ ଅଫିସରେ ମ୍ୟାନେଜର ହୋଇଥିଲେ। ସେ ମୁମ୍ବାଇର ବାସିନ୍ଦା। ୧୯୯୩ରେ ମହାରାଷ୍ଟ୍ରର ପୁଣେରେ ତାଙ୍କ ଜନ୍ମ। ସେ ରତନ ଟାଟାଙ୍କୁ ବିଭିନ୍ନ ଷ୍ଟାଟଅପ୍‌ରେ ନିବେଶ କରିବାକୁ ଟିପ୍ସ ଦେଉଥିଲେ।

ଶାନ୍ତନୁ ଜଣେ ବ୍ୟବସାୟୀ, ଇଞ୍ଜିନିୟର, ଜୁନିୟର ଆସିଷ୍ଟାଣ୍ଟ, ଡିଜିଏମ୍‌, ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର, ଲେଖକ, ଉଦ୍ୟୋଗୀ ଭାବେ ଜଣାଶୁଣା। ବ୍ୟବସାୟଜଗତରେ ସେ ଏବେ ଏଭଳି ପାହାଚରେ ପହଞ୍ଚିଛନ୍ତି, ଯେଉଁଠି ପହଞ୍ଚିବାକୁ ଅନେକେ ସ୍ବପ୍ନ ଦେଖିଥାନ୍ତି। ସେଥିଲାଗି ଶେଷ ଦିନରେ ସେ ରତନ ଟାଟାଙ୍କ ସହ ରହିଥିଲେ।

୨୦୧୭ ଜୁନରେ ଶାନ୍ତନୁ ଟାଟା ଟ୍ରଷ୍ଟ ସହ ଯୋଡ଼ି ହୋଇଥିଲେ। ଏହାଛଡ଼ା ନାଇଡୁ ଟାଟା ଏଲେକ୍ସିରେ ଡିଜାଇନ ଇଞ୍ଜିନିୟର ଭାବେ କାମ କରିଛନ୍ତି। ସୋସିଆଲ ମିଡିଆରେ ସେ ବେଶ ଆକ୍ଟିଭ। ନିଜର ପଶୁପ୍ରେମକୁ ନେଇ ୨୦୧୪ରେ ସେ ରତନ ଟାଟାଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ବୁଲା କୁକୁରଙ୍କ ସୁରକ୍ଷା ପ୍ରତି ଶାନ୍ତନୁଙ୍କର ଚିନ୍ତା ଦେଖି ସେ ତାଙ୍କୁ ନିଜ ଟିମ୍‌ରେ ସାମିଲ କରିଥିଲେ। ଗତ ୧୦ ବର୍ଷ ମଧ୍ୟରେ ଦୁହେଁ ପରସ୍ପରର ଭଲ ବନ୍ଧୁ ପାଲଟିଥିଲେ।

ଆମେରିକାର କାର୍ନେଲ ୟୁନିଭର୍ସିଟିରେ ଏମ୍‌ବିଏ କରିଛନ୍ତି ଶାନ୍ତନୁ। ସେ ନିଜର ପଢ଼ା ଶେଷ କରିବା ପରେ ଟାଟା ଗ୍ରୁପରେ ଚାକିରି କରିଛନ୍ତି। ଏଥିସହ ସେ ଗୁଡ୍‌ଫେଲୋର ପ୍ରତିଷ୍ଠାତା ମଧ୍ୟ। ଏହା ବରିଷ୍ଠ ନାଗରିକଙ୍କୁ ସମର୍ଥନ ଦେବା ଲାଗି କାର୍ଯ୍ୟରତ।
ତେବେ ରତନ ଟାଟାଙ୍କ ଶେଷଯାତ୍ରା ସମୟରେ ଶାନ୍ତନୁ ବାଇକରେ ଆଗରେ ଚାଲିଥିଲେ। ସକାଳେ ସେ ଏକ ଭାବବିହ୍ବଳ ପୋଷ୍ଟ ଲେଖି ବନ୍ଧୁ ବିଦାୟ ବୋଲି କହିଥିଲେ।

 

Share