ଶେହବାଜ୍‌ ଶରିଫ୍‌ କିଏ

ଇସଲାମାବାଦ,୧୨ା୪: ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌-ନଓ୍ବାଜ (ପିଏମ୍‌ଏଲ୍‌-ଏନ୍‌)ର ଅଧ୍ୟକ୍ଷ ଶେହବାଜ୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍‌ ଶରିଫ୍‌ଙ୍କ ଭାଇ। ଶେହବାଜ୍‌ ପାକିସ୍ତାନ ପଞ୍ଜାବ ପ୍ରଦେଶରେ ୩ ଥର(୧୯୯୭, ୨୦୦୮ ଏବଂ ୨୦୧୩) ତଥା ସବୁଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଛନ୍ତି। ୧୯୯୭ରେ ସେ ପ୍ରଥମ ଥର ପଞ୍ଜାବରେ କ୍ଷମତାକୁ ଆସିଥିଲେ। ହେଲେ ୧୯୯୯ରେ ଜେନେରାଲ ପରଭେଜ୍‌ ମୁଶରଫ୍‌ ସେନା ବିଦ୍ରୋହ କରିବା ପରେ ଶେହବାଜ୍‌ଙ୍କୁ ପାକିସ୍ତାନ ଛାଡ଼ିବାକୁ ପଡ଼ିଥିଲା। ସେ ସାଉଦି ଆରବରେ ୮ ବର୍ଷ ରହିଥିଲେ।
ଭାଇ ନଓ୍ବାଜଙ୍କ ସହ ସେ ପାକିସ୍ତାନ ଫେରିଥିଲେ। ୨୦୦୮ ସାଧାରଣ ନିର୍ବାଚନ ପରେ ଶେହବାଜ୍‌ ପୁଣି ପଞ୍ଜାବ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୮ରେ ପିଏମ୍‌ଏଲ୍‌-ଏନ୍‌ ନିର୍ବାଚନରେ ପରାଜିତ ହୋଇଥିଲା। ପରେ ସେ ବିରୋଧୀ ଦଳ ନେତା ନିର୍ବାଚିତ ହୋଇଥିଲେ। ୨୦୧୯ ଡିସେମ୍ବରରେ ସେ ଆଇନଗତ ସମସ୍ୟାରେ ପଡ଼ିଥିଲେ। ମନି ଲଣ୍ଡରିଂ ମାମଲାରେ ନ୍ୟାଶନାଲ ଆକାଉଣ୍ଟାବିଲିଟି ବ୍ୟୁରୋ (ଏନ୍‌ଏବି) ଶେହବାଜ ଓ ତାଙ୍କ ପୁଅଙ୍କ ୨୩ ସମ୍ପତ୍ତି ବାଜ୍ୟାପ୍ତ କରିଥିଲା। ୨୦୨୦ ସେପ୍ଟେମ୍ବର ୨୮ରେ ଏନ୍‌ଏବି ତାଙ୍କୁ ଗିରଫ କରିଥିଲା। ୨୦୨୧ ଏପ୍ରିଲରେ ଲାହୋର ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ।

Share