ସାତ ଜନ୍ମର ସାଥୀଙ୍କୁ ଏକା କରି ଚାଲିଗଲେ କେକେ, ଜାଣନ୍ତୁ ଗାୟକଙ୍କ ସ୍ତ୍ରୀ ଜ୍ୟୋତି କିଏ…

ବମ୍ବେ: ଜଣାଶୁଣା କଣ୍ଠଶିଳ୍ପୀ କେକେ ଆମ ଗହଣରେ ଆଉ ନାହାନ୍ତି। କୋଲକାତାରେ ଏକ କନସର୍ଟରେ ଗୀତ ଗାଇବା ପରେ ହୃଦଘାତ ହେବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ନବେ ଦଶକରୁ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଥିବା କେକେଙ୍କ ଆକସ୍ମିକ ନିଧନ ଅନେକଙ୍କୁ ସ୍ତବ୍ଧ କରିଛି। ପରିବାରଲୋକେ କେକେଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି। କେକେ ଚାଲିଯିବା ପରେ ପଛରେ ରହି ଯାଇଛନ୍ତି ସ୍ତ୍ରୀ ଏବଂ ଦୁଇ ସନ୍ତାନ।

ସ୍ତ୍ରୀ ଜ୍ୟୋତିଙ୍କ ପାଇଁ କେକେଙ୍କୁ ହରାଇବାର ଦୁଃଖ ବଖାଣିବା ସହଜ ନୁହେଁ। କାରଣ ତାଙ୍କର ପିଲାଦିନର ପ୍ରେମିକ ଥିଲେ କେକେ। ଷଷ୍ଠ ଶ୍ରେଣୀରେ ପଢ଼ିବା ବେଳେ ଉଭୟ ପରସ୍ପରକୁ ଭେଟିଥିଲେ। ପ୍ରଥମେ ବନ୍ଧୁ ପରେ ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା। ସେମାନେ ୧୯୯୧ରେ ବିବାହ କରିଥିଲେ। ବିବାହ ପରେ ତାଙ୍କର ଦୁଇ ସନ୍ତାନ ଜନ୍ମ ନେଇଥିଲେ। ଉଭୟଙ୍କ ମଧ୍ୟରେ ଅଗାଧ ପ୍ରେମ ରହିଥିଲା। ଜୀବନରେ ଉପରକୁ ଉଠିବାକୁ ଚାହୁଁଥିବା କେକେଙ୍କ ସହ ଛାଇ ଭଳି ରହିଥିଲେ ଜ୍ୟୋତି। ବମ୍ବେରେ ଆସି କ୍ୟାରିୟର ଗଢ଼ିବା ଭଳି ବଡ଼ ନିଷ୍ପତ୍ତି ନେବା ପଛରେ ଜ୍ୟୋତିଙ୍କ ହାତ ରହିଥିଲା।

ପେସାରେ ଜ୍ୟୋତି ଜଣେ କଳାକାର। ସେ ଭଲ ଚିତ୍ର ଆଙ୍କନ୍ତି। ବିନା ଟ୍ରେନିଂରେ ସେ ଅଦ୍ଭୁତ ଚିତ୍ର ଆଙ୍କିଥାନ୍ତି। ପ୍ରଥମେ ଚିତ୍ର ଆଙ୍କିବା ସଉକ ଥିବା ବେଳେ ଏହା ତାଙ୍କର ଲକ୍ଷ୍ୟ ଏବଂ କ୍ୟାରିୟର ପାଲଟିଥିଲା। ସେହିଭଳି ଦୁଇ ସନ୍ତାନ ମଧ୍ୟ ସଙ୍ଗୀତ ଜଗତ ସହ ଜଡ଼ିତ। ପୁଅ ନକୁଳ ବାପାଙ୍କ ଆଲବମ୍‌ ହମ୍‌ସଫରରେ ଏକ ଗୀତ ଗାଇଥିଲେ। ଝିଅ ‘ତମାରା’ଙ୍କୁ ମଧ୍ୟ ଗାଇବା ପସନ୍ଦ। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଅନେକ ଭିଡିଓ ଶେୟାର କରିଥାନ୍ତି।

କେକେ ଇନଷ୍ଟାଗ୍ରାମରେ କେବଳ ଚାରିଜଣଙ୍କୁ ଫଲୋ କରୁଥିଲେ। ସେଥିରୁ ତିନି ଜଣ ତାଙ୍କ ସ୍ତ୍ରୀ ଏବଂ ପିଲା ଥିଲେ। ସେ ନିଜର ବ୍ୟକ୍ତିଗତ ଜୀବନକୁ ପ୍ରାଇଭେଟ ରଖିବାକୁ ପସନ୍ଦ କରୁଥିଲେ। ଏବେ ସେ ଚାଲିଯିବା ପରେ ପୁରା ପରିବାର ଶୋକରେ ବୁଡ଼ି ରହିଛି।

Share