ସିଡନୀ,୨୮।୧: କ୍ରିକେଟ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ପାଇଁ ଦଳ ଘୋଷଣା କରିଛି। ଚୟନ ହୋଇଥିବା ଖେଳାଳିଙ୍କ ମଧ୍ୟରେ ଭାରତୀୟ ବଂଶୋଦ୍ଭବ ସ୍ପିନର ତନବୀର ସାଂଘାଙ୍କ ନାମ ଥିବା ଦେଖିବାକୁ ମିଳିଛି। ନିକଟରେ ବିଗ୍ ବ୍ୟାସ୍ ଲିଗ୍ରେ ନିଜର ଡେବ୍ୟୁ ସିଜନ୍ ଖେଳି ସେ ସମସ୍ତଙ୍କୁ ଚମକାଇ ଦେଇଥିଲେ। ସାଂଘା ୧୪ ମ୍ୟାଚ୍ରେ ୨୧ ଉଇକେଟ ନେଇ ସାରିଛନ୍ତି। ୧୪ ରନ୍ ଦେଇ ୪ ଉଇକେଟ ନେବା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା।
୨୦୨୦ରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଅଣ୍ଡର ୧୯ ବିଶ୍ୱକପ୍ରେ ଅଷ୍ଟ୍ରେଲିଆର ଅଣ୍ଡର ୧୯ ଟିମ୍ର ପ୍ରତିନିଧିତ୍ୱ କରିଥିଲେ। ଟୁର୍ନାମେଣ୍ଟରେ ସେ ଦଳର ସବୁଠାରୁ ସଫଳ ବୋଲର୍ ପାଲଟିଥିଲେ। ଏହି ସମୟରେ ସେ ୬ ମ୍ୟାଚ୍ରେ ୧୫ ଉଇକେଟ ନେଇଥିଲେ।
ତେବେ ଏହି ଡାହାଣହାତି ଲେଗ୍ ସ୍ପିନରଙ୍କ ମା’ବାପା ଭାରତୀୟ। ୨୦୦୧ ନଭେମ୍ବର ୨୬ରେ ସିଡନୀରେ ସେ ଜନ୍ମଗ୍ରହଣ କରିଥିଲେ। ଏଠାରୁ ହିଁ ସେ ନିଜର କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ଏବେ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ରେ ସାମିଲ ହୋଇ ସେ ଇତିହାସ ରଚିଛନ୍ତି। ହଳଦିଆ ରଙ୍ଗର ଜର୍ସିରେ ସେ ନଜର ଆସିବେ। ଏହି ସଫଳତା ପାଇବାରେ ଭାରତୀୟ ବଂଶୋଦ୍ଭବ ଭାବେ ସେ ଚତୁର୍ଥ ଖେଳାଳି ପାଲଟିଛନ୍ତି।