କିଏ ସେହି ପାକିସ୍ତାନୀ ଅଭିନେତ୍ରୀ? ଯାହାଙ୍କ ସହ ଯୋଡାଯାଉଛି ସାନିଆଙ୍କ ସ୍ବାମୀ ଶୋଏବଙ୍କ ନାମ?

ନୂଆଦିଲ୍ଲୀ,୧୧।୧୧: ଛାଡ଼ପତ୍ରକୁ ନେଇ ଚର୍ଚ୍ଚାରେ ଅଛନ୍ତି ଭାରତୀୟ ଟେନିସ ତାରକା ସାନିଆ ମିର୍ଜା। ବିବାହର ଦୀର୍ଘ ୧୨ ବର୍ଷ ପରେ ସେ ସ୍ବାମୀ ତଥା କ୍ରିକେଟର ଶୋଏବ ମଲିକଙ୍କଠାରୁ ଅଲଗା ହେବାକୁ ଯାଉଥିବା କୁହାଯାଉଛି। ଏସବୁ ମଧ୍ୟରେ ଏହା ପଛର କାରଣ ସାମ୍ନାକୁ ଆସିଛି। ଜଣେ ପାକିସ୍ତାନୀ ଅଭିନେତ୍ରୀଙ୍କ ସହ ସ୍ବାମୀଙ୍କ ସମ୍ପର୍କ ପାଇଁ ସାନିଆ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ଜୋର ଧରିଛି।

୨୦୨୧ ନଭେମ୍ବରରେ ଶୋଏବ ଏକ ଫଟୋଶୁଟ୍‌ କରାଇଥିଲେ। ପାକିସ୍ତାର ଲୋକପ୍ରିୟ ମାଗାଜିନ ଲାଗି କରାଯାଇଥିବା ଏହି ଫଟୋଶୁଟ୍‌ରେ ତାଙ୍କ ସହ ଅଭିନେତ୍ରୀ ଆୟଶା ଉମର ରହିଥିଲେ। ଉଭୟଙ୍କ ଫଟୋ ଏବଂ ପୋଜ୍‌ ବେଶ ବୋଲ୍ଡ ଥିଲା। ଏବେ ଏହି ଫଟୋ ଭାଇରାଲ ହେଉଛି। ଆଏଶାଙ୍କ ପାଇଁ ସାନିଆଙ୍କ ସମ୍ପର୍କ ତୁଟିବାକୁ ଯାଉଛି ବୋଲି କୁହାଯାଉଛି। ଏହା କେତେ ସତ କେତେ ମିଛ ତାହା ଜଣା ପଡ଼ି ନ ଥିଲେ ହେଁ ଆସନ୍ତୁ ଜାଣିବା ଆୟଶା କିଏ?

୧୯୮୧ ଅକ୍ଟୋବର ୧୨ରେ ପାକିସ୍ତାନର ଲାହୋରରେ ଆୟଶାଙ୍କ ଜନ୍ମ। ସେ ଲଲିଉଡ୍‌ର ଖ୍ୟାତନାମା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ବର୍ଷକର ହୋଇଥିବା ବେଳେ ଆୟଶା ପିତାଙ୍କୁ ହରାଇଥିଲେ। ତାଙ୍କ ମା’ ଏକାକି ଭାଇ ଏବଂ ତାଙ୍କର ଲାଳନପାଳନ କରିଛନ୍ତି। ବଡ ହେବା ପରେ ଅଭିନେତ୍ରୀ ଭାବେ ସେ ଟେଲି ପରଦାରୁ କାମ ଆରମ୍ଭ କରିଥିଲେ। ବିଶେଷକରି ପାକିସ୍ତାନୀ ଧାରାବାହିକ ‘ଜିନ୍ଦେଗୀ ଗୁଲ୍‌ଜାର ହୈ’ ଯୋଗୁ ତାଙ୍କୁ ଲୋକପ୍ରିୟତା ମିଳିଥିଲା। ଏବେ ଜଣେ ବଡ ପରଦାର ଅଭିନେତ୍ରୀ ଭାବେ ସେ ନିଜର ସ୍ବତନ୍ତ୍ର ପରିଚୟ କରିଛନ୍ତି। ୨୦୧୮ରେ ନ୍ୟୁୟର୍କ ଫ୍ୟାଶନ ଉଇକ୍‌ରେ ସେ ଦେଶକୁ ରିପ୍ରେଜେଣ୍ଟ ମଧ୍ୟ କରିଥିଲେ। ତେବେ ସେ ଜଣେ ଅଭିନେତ୍ରୀ ହେବା ସାଙ୍ଗକୁ ଗାୟିକା ମଧ୍ୟ। ଆଗାମୀ ଦିନରେ ତାଙ୍କ ଫିଲ୍ମ ‘ମନି ବ୍ୟାକ୍‌ ଗ୍ୟାରେଣ୍ଟି’ ଆସିବାକୁ ଯାଉଛି।