Categories: ଜାତୀୟ

କୁଳାଧିପତି କିଏ: ଧନକର ବନାମ ମମତା

କୋଲକାତା,୨ା୭: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି କ୍ରମରେ ରାଜ୍ୟପାଳ ଶୁକ୍ରବାର ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟ(ଆର୍‌ବିୟୁ)ର ନୃତ୍ୟ ବିଭାଗ ପ୍ରେଫେସର ମହୁଆ ମୁଖାର୍ଜୀଙ୍କୁ ନୂତନ କୁଳପତି ନିଯୁକ୍ତ କରିଛନ୍ତି। ବର୍ତ୍ତମାନର କୁଳପତି ସବ୍ୟସାଚୀ ବସୁ ରୟ ଚୌଧୁରୀଙ୍କ କାର୍ଯ୍ୟକାଳ ଖୁବ୍‌ଶୀଘ୍ର ଶେଷ ହେଉଥିବାବେଳେ ରାଜ୍ୟପାଳ ଏହି ସରକାରୀ ୟୁନିଭର୍ସିଟିର କୁଳାଧିପତି ରୂପେ ଏପରି ପଦକ୍ଷେପ ନେଇଛନ୍ତି। ରବୀନ୍ଦ୍ର ଭାରତୀ ଆଇନ, ୧୯୮୧ର ଧାରା ୯(୧)(ଖ) ଅନୁସାରେ ମୁଖାର୍ଜୀଙ୍କୁ ନିଯୁକ୍ତ କରାଯାଇଥିବା ନେଇ ରାଜ୍ୟପାଳ ଟୁଇଟ୍‌ କରିଛନ୍ତି। ଏଥିସହ ସରକାରଙ୍କ ସର୍ଚ୍ଚ କମିଟି ପକ୍ଷରୁ କରାଯାଇଥିବା ସୁପାରିସ ପତ୍ରକୁ ମଧ୍ୟ ସେ ଏଥିରେ ସଂଲଗ୍ନ କରିଛନ୍ତି। ସୁପାରିସ ପତ୍ରର ସର୍ବାଗ୍ରେ ମୁଖାର୍ଜୀଙ୍କ ନାମ ରହିଥିବା ରାଜ୍ୟପାଳ କହିଛନ୍ତି।
ପ୍ରକାଶ ଯେ, ଏହା ପୂର୍ବରୁ ମମତାଙ୍କୁ ରାଜ୍ୟରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳାଧିପତି କ୍ଷମତା ପ୍ରଦାନ ପାଇଁ ନିକଟରେ ବିଧାନସଭାରେ ଏକ ବିଧେୟକ ଗୃହୀତ କରାଯାଇଥିଲା। ଉକ୍ତ ବିଲ୍‌ ଉପରେ ରାଜ୍ୟପାଳଙ୍କ ମୋହରକୁ ଅପେକ୍ଷା କରାଯାଇଥିଲା। ଏନେଇ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖପାତ୍ର କୁନାଲ ଘୋଷ କହିଛନ୍ତି, ରାଜ୍ୟପାଳ ପୁଣି ଥରେ ପ୍ରମାଣିତ କରିଛନ୍ତି ଯେ, ସେ ଗଣତାନ୍ତ୍ରିକ ଓ ସଂଘୀୟ ମୂଲ୍ୟବୋଧରେ ବିଶ୍ୱାସ କରନ୍ତ ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ କୁଳାଧିପତି ନିଯୁକ୍ତ କରିବା ନେଇ ବିଧାନସଭାରେ ଗୃହୀତ ବିଲ୍‌କୁ ଅନୁମୋଦନ ପାଇଁ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିବାବେଳେ ସେ ତରବରିଆ ଭାବେ ଆର୍‌ବିୟୁ ଭିସିଙ୍କ ନାମ ଘୋଷଣା କରିଛନ୍ତି। ଧନକର ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ପରାମର୍ଶ ମଧ୍ୟ ନେଇନାହାନ୍ତି। ରାଜ୍ୟପାଳ ସୀମା ଲଂଘିଛନ୍ତି ବୋଲି ଟିଏମ୍‌ସି ଅଭିଯୋଗ ଆଣିଛି।

Share