Categories: ଜାତୀୟ

ମାଓବାଦୀ ନେତା ହିଡ୍‌ମା କିଏ

ରାୟପୁର,୫।୪: ଛତିଶଗଡ଼ର ବିଜାପୁର-ସୁକୁମା ବର୍ଡର ଜଙ୍ଗଲରେ ଶନିବାର ମାଓବାଦୀଙ୍କ ଅତର୍କିତ ଆକ୍ରମଣରେ ୨୨ରୁ ଊର୍ଦ୍ଧ୍ୱ ଯବାନଙ୍କ ଜୀବନ ଯାଇଥିବାବେଳେ ୩୨ ଆହତ ହୋଇଛନ୍ତି। ଏହି ସାଂଘାତିକ ସଂହାର ପଛରେ ପିପୁଲ୍ସ ଲିବରେଶନ ଗେରିଲା ଆର୍ମି (ପିଏଲ୍‌ଜିଏ) ନେତା ହିଡ୍‌ମାଙ୍କ ପ୍ରମୁଖ ଭୂମିକା ଥିବା କୁହାଯାଉଛି। ତେଣୁ ତାଙ୍କୁ କାବୁ କରିବା ପାଇଁ ସୁରକ୍ଷା ବଳ ବଡ଼ ଧରଣର ତଲାସି ଅଭିଯାନ ଚଳାଇଛି। ହିଡ୍‌ମା ସୁକୁମା ଜିଲା ପୁବର୍ତି ଗ୍ରାମର ବାସିନ୍ଦା। ଏହି ୪୦ ବର୍ଷୀୟ ଆଦିବାସୀ ଯୁବକ ୧୯୯୦ ଦଶକରେ ମାଓବାଦୀ ସଙ୍ଗଠନରେ ସାମିଲ ହୋଇଥିଲେ। ସେ ଆମ୍ବୁଶ୍‌ ଆକ୍ରମଣ ପାଇଁ ଜଣାଶୁଣା। ପିଏଲ୍‌ଜିଏ ବାଟାଲିୟନ୍‌ ନମ୍ବର ୧ର ନେତୃତ୍ୱ ନେଉଥିବା ହିଡ୍‌ମାଙ୍କ ସହ ୧୮୦ରୁ ୨୫୦ ମାଓବାଦୀ ରହିଛନ୍ତି। ସେମାନଙ୍କ ମଧ୍ୟରେ କେତେଜଣ ମହିଳା ମଧ୍ୟ ଅଛନ୍ତି। ମୋଷ୍ଟ ଓ୍ବଣ୍ଟେଡ୍‌ ହିଡ୍‌ମା ମାଓବାଦୀଙ୍କ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି (ଡିକେଏସ୍‌ଜେଡ୍‌)ର ଜଣେ ସଦସ୍ୟ। ସିପିଆଇ ମାଓବାଦୀ ସୁପ୍ରିମ ୨୧ ସଦସ୍ୟ ବିଶିଷ୍ଟ ସେଣ୍ଟ୍ରାଲ କମିଟିର ଏହି କନିଷ୍ଠତମ ସଭ୍ୟଙ୍କୁ ଧରାଇଦେଲେ ୪୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଛି। ଭୀମ ମଣ୍ଡାଭିଙ୍କ ହତ୍ୟା ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ହିଡ୍‌ମାଙ୍କ ବିରୋଧରେ ଚାର୍ଜଶିଟ୍‌ କରିଛି। ତାଙ୍କର କୌଣସି ସଦ୍ୟ ଫଟୋ ସାମ୍ନାକୁ ଆସିନାହିଁ। ସେ ବିଜାପୁର ଓ ସୁକୁମା ମଧ୍ୟବର୍ତ୍ତୀ ଜଙ୍ଗଲରେ ଲୁଚି ରହିଥିବା ଗୋଇନ୍ଦା ସୂଚନା ମିଳିଛି। ଶନିବାର ସୁରକ୍ଷା ବଳ ଉପରକୁ ହୋଇଥିବା ଆକ୍ରମଣର ନେତୃତ୍ୱ ହିଡ୍‌ମା ନେଇଥିଲେ। ତାଙ୍କ ସହ ପମେଡ୍‌, କୋଣ୍ଟା, ଝାରଗୁଣ୍ଡା ଓ ବସାଗୁଡ଼ା ଏରିଆ କମିଟିର ୨୫୦ରୁ ଊର୍ଦ୍ଧ୍ୱ ମାଓବାଦୀ ଆକ୍ରମଣରେ ସାମିଲ ଥିବା କୁହାଯାଉଛି।

Share