କିଏ ସେହି ‘ଜମାଲ କୁଡୁ’ର ଭାଇରାଲ ଯୁବତୀ, ରାତାରାତି ହେଲେ ପ୍ରସିଦ୍ଧ, ବଢ଼ିଗଲେ ୨୫ ଗୁଣ ଫଲୋଅର୍ସ

ମୁମ୍ବାଇ: ଫିଲ୍ମ ‘ଆନିମଲ’ରେ ବବି ଦେଓଲଙ୍କ ଏଣ୍ଟ୍ରି ଗୀତ ସୋସିଆଲ ମିଡିଆରେ ବେଶ୍‌ ହଇଚଇ ସୃଷ୍ଟି କରିଛି। ବିବାହ ସମାରୋହରେ ଏହି ଗୀତ ଏବେ ବେଶ୍‌ ଲୋକପ୍ରିୟ ହୋଇଛି। ଗୀତ ‘ଜମାଲ କୁଡୁ’ ଭାଇରାଲ ହେବା ପରେ ଏଥିରେ ଜଣେ ସୁନ୍ଦରୀ ଯୁବତୀ ରାତାରାତି ପ୍ରସିଦ୍ଧି ଲାଭ କରିଛନ୍ତି। ଲୋକମାନେ ଏହି ଭାଇରାଲ ଯୁବତୀଙ୍କ ବିଷୟରେ ଜାଣିବାକୁ ଚାହୁଁଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏହି ସୁନ୍ଦରୀଙ୍କର ୨୫ ଗୁଣ ଫଲୋଅର୍ସ ବଢ଼ିଯାଇଛନ୍ତି।

ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଫିଲ୍ମ ‘ଆନିମଲ’ ଭାରତରେ୫୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି ଫିଲ୍ମ କେବଳ ବକ୍ସ ଅଫିସରେ ନୁହେଁ, ପପ୍‌ ସଂସ୍କୃତିରେ ମଧ୍ୟ ଝଡ଼ ସୃଷ୍ଟି କରିଛି। ଫିଲ୍ମର ସୀନ୍‌, ଗୀତ ଏବଂ ଡାଏଲଗ୍‌ ଲୋକମାନଙ୍କୁ ପାଗଳ କରିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ‘ଜମାଲ କୁଡୁ’ ଗୀତ। ଏହା ଏକ ଇରାନର ଗୀତ। ଯାହାକି ଫିଲ୍ମରେ ବବି ଦେଓଲଙ୍କ ଏଣ୍ଟ୍ରି ସମୟରେ ବାଜୁଛି।

‘ଜମାଲ କୁଡୁ’ ବହୁତ ଲୋକପ୍ରିୟ ହୋଇପାରିଛି ଏବଂ ଏଥିରେ ଅଭିନୟ କରିଥିବା ଇରାନର ମଡେଲ ତଥା ନୃତ୍ୟଶିଳ୍ପୀ ତନ୍ନାଜ ତବୁଦି ମଧ୍ୟ ରାତାରାତି ଷ୍ଟାର ହୋଇପାରିଛନ୍ତି। ‘ଜମାଲ କୁଡୁ’ ୧୯୫୦ ଦଶକର ଏକ ଇରାନୀୟ ଗୀତ। ଯାହା ‘ଆନିମଲ’ ଫିଲ୍ମରେ କିଛି ପରିବର୍ତ୍ତନ କରାଯାଇ ପ୍ରସ୍ତୁତ ହୋଇଛି। ଏହି ଗୀତରେ ବବି ତୃତୀୟ ଥର ବିବାହ କରୁଥିବା ଦେଖିବାକୁ ମିଳିଛି।

ଗୀତର ଆରମ୍ଭରେ ବବି ମୁଣ୍ଡରେ ଏକ ଗ୍ଲାସ ଧରି ନାଚୁଥିବା ଦେଖିବାକୁ ମିଳିଛି। ସେ ଦଳରେ ଗୀତ ଗାଉଥିବା ଝିଅମାନଙ୍କ ନିକଟକୁ ଆସନ୍ତି। ମଝିରେ ଠିଆ ହୋଇଥିବା ତନ୍ନାଜ, ତାଙ୍କ ଷ୍ଟାଇଲ୍‌ ଏବଂ ସୌନ୍ଦର୍ଯ୍ୟ ହେତୁ ରାତାରାତି ଭାଇରାଲ ହୋଇଥିଲେ।

ଲୋକମାନେ ସ୍ନେହରେ ତନ୍ନାଜଙ୍କୁ ଟାନି ବୋଲି ଡାକନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେ ଜଣେ ଇରାନୀ ମଡେଲ ଏବଂ ଡ୍ୟାନ୍ସର। ଯିଏ ଭାରତରେ କାମ କରନ୍ତି। ସେ ‘ଜମାଲ କୁଡୁ’ ପୂର୍ବରୁ ମଧ୍ୟ ଅନେକ ବଲିଉଡ୍‌ ଗୀତରେ କାମ କରିଛନ୍ତି।

ତନ୍ନାଜ, ନୋରା ଫତେହୀ, ବରୁଣ ଧାଓ୍ବନ, ଜନ ଆବ୍ରହାମ ଏବଂ ସନ୍ନି ଲିଓନିଙ୍କ ସହ ଷ୍ଟେଜ୍‌ ଶୋ କରିଛନ୍ତି। ଯଦିଓ ତାଙ୍କୁ ଅଧିକାଂଶ ସମୟରେ ବ୍ୟାକ୍‌ଗ୍ରାଉଣ୍ଡରେ ଦେଖାଯାଏ। ‘ଜମାଲ କୁଡୁ’ ହେଉଛି ପ୍ରଥମ ଗୀତ ଯେଉଁଥିରେ ସେ ଅଭିନୟ କରିଛନ୍ତି। ବବି ଦେଓଲଙ୍କ ପରେ ସେ ଦର୍ଶକଙ୍କ ଅଧିକ ଧ୍ୟାନ ଆକର୍ଷଣ କରିଥିଲେ। ସେ ଏହି ଗୀତରେ କିଛି ସମୟ ପାଇଁ ଅଭିନୟ କରିଥିଲେ, କିନ୍ତୁ ଏହା ତନ୍ନାଜଙ୍କ ଜୀବନକୁ ବଦଳାଇଦେଲା।

ତନ୍ନାଜ ଇନ୍‌ଷ୍ଟାଗ୍ରାମ ବାୟୋରେ ନିଜକୁ ‘ଜମାଲ ଜମାଲୁ’ ଝିଅ ବୋଲି ଲେଖିଛନ୍ତି। ଭାରତରେ ତାଙ୍କର ଲୋକପ୍ରିୟତା ଦେଖି ଲୋକମାନେ ତାଙ୍କୁ ନୂଆ ଜାତୀୟ କ୍ରଶ୍‌ ବୋଲି କହୁଛନ୍ତି। ‘ଆନିମଲ’ ରିଲିଜ ପୂର୍ବରୁ ତନ୍ନାଜଙ୍କର ଇନ୍‌ଷ୍ଟାଗ୍ରାମରେ ୧୦ ହଜାର ଫଲୋଅର୍ସ ଥିଲେ। ଦୁଇ ସପ୍ତାହ ମଧ୍ୟରେ ତାଙ୍କ ଫଲୋଅର୍ସ ୨୫ ଗୁଣ ବୃଦ୍ଧି ପାଇ ୨.୭ ଲକ୍ଷରୁ ଅଧିକ ହୋଇଛନ୍ତି।

Share