ବମ୍ବେ: ଫିନ୍ଲ୍ୟାଣ୍ଡର ଆର୍ମି ହେଲେନା କୁସେଲା ୧୯୫୨ ମସିହାରେ ପ୍ରଥମ ବିଶ୍ୱସୁନ୍ଦରୀ ହେବାର ଗୌରବ ଅର୍ଜନ କରିଥିଲେ। ଅଗଷ୍ଟ ୨୦ରେ ସେ ୮୬ ବର୍ଷର ହୋଇଛନ୍ତି। ୧୯୩୪ରେ ଜନ୍ମିତ କୁସେଲା କଲେଜରେ ପଢ଼ିବା ସମୟରେ ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିରେ ତାଙ୍କୁ ଏକ ଚକୋଲେଟ ବକ୍ସ, ସୁନା ଚୁଡ଼ି ଏବଂ ଆମେରିକା ଯାଇ ବୁଲିବା ପାଇଁ ଟିକେଟ ମିଳିଥିଲା। ଏହା ତାଙ୍କୁ ବେଶ୍ ଆନନ୍ଦ ଦେଇଥିଲା।
୧୯୫୨ରେ କାଲିଫର୍ନିଆରେ ଆୟୋଜିତ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ସେ ପ୍ରଥମ ଥର ପାଇଁ ପ୍ରତିନିଧିତ୍ୱ କରିଥିଲେ। ସେତେବେଳେ ତାଙ୍କୁ ମାତ୍ର ୧୭ ବର୍ଷ ହୋଇଥିଲା। ହେଲେ ସେ ୩୦ ପ୍ରତିଯୋଗୀଙ୍କୁ ହରାଇ ଇତିହାସ ସୃଷ୍ଟି କରିଥିଲେ। ଏହାପରେ ତାଙ୍କୁ ଅନେକ ଫିଲ୍ମରେ ଦେଖିବାକୁ ମିଳିଥିଲା। ନିଜର ଜୀବନକାହାଣୀ ଉପରେ ନିର୍ମିତ ଫିଲ୍ମ ଦ ଓ୍ବାଲ୍ଡ୍ସ ମୋଷ୍ଟ ବିଉଟିଫୁଲ ଗର୍ଲରେ ସେ ନିଜ ଭୂମିକାରେ ଅଭିନୟ କରିଥିଲେ। ପରେ ସେ ପ୍ରେମ ପାଇଁ ନିଜ ଅଭିନୟ ଜୀବନକୁ ପରିତ୍ୟାଗ କରିଥିଲେ। ୧୯୫୩ରେ ବ୍ୟବସାୟୀ ବାର୍ଜିଲିୟୋ ହିଲାରିୟୋଙ୍କୁ ସେ ବିବାହ କରିଥିଲେ।