Categories: ଖେଳ

ଆଇପିଏଲ୍‌ରେ ଜବରଦସ୍ତ ପ୍ରଦର୍ଶନ କରୁଥିବା ତିଳକ ବର୍ମା କିଏ? ନିଜର ଘର ଖଣ୍ଡେ ନାହିଁ, ବାପା…

ମୁମ୍ବାଇ,୧୩।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରୁ ଭାରତକୁ ଅନେକ ତାରକା ଖେଳାଳି ମିଳିଛି। ଚଳିତ ସିଜନରେ ମଧ୍ୟ ସେଭଳି କିଛି ଯୁବ ଖେଳାଳି ଚର୍ଚ୍ଚାରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ତିଳକ ବର୍ମା।

ହାଇଦ୍ରାବାଦରେ ଜନ୍ମିତ ୧୯ ବର୍ଷୀୟ ଏହି ଯୁବ ଅଲରାଉଣ୍ଡରଙ୍କ ପୁରା ନାମ ନମ୍ବୁରୀ ଠାକୁର ତିଳକ ବର୍ମା। ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି। ସେ ଖୁବଶୀଘ୍ର ଭାରତର ଜାତୀୟ ଟିମ୍‌ରୁ ତିନୋଟି ଫର୍ମାଟରେ ଖେଳୁଥିବା ନଜର ଆସିବେ ବୋଲି ରୋହିତ ଭବିଷ୍ୟବାଣୀ କରିଛନ୍ତି।

ତେବେ ତିଳକଙ୍କ କ୍ରିକେଟର ହେବାର ଯାତ୍ରା ବେଶ ସଂଘର୍ଷମୟ। ତାଙ୍କ ବାପା ତମ୍ବୁରୀ ନାଗରାଜୁ ଜଣେ ଇଲେକ୍ଟ୍ରିସିଆନ। ଏଥିଯୋଗୁ ତାଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିଲା। ବାପା ଘରକୁ ଅତ୍ୟାବଶ୍ୟକ ଜିନିଷ ନ ଆଣି ତାଙ୍କ ଖେଳିବାର ସାମଗ୍ରୀ ଆଣି ଆସୁଥିଲେ। ତାଙ୍କର ନିଜସ୍ବ ଘର ମଧ୍ୟ ନାହିଁ। ଏବେବି ତାଙ୍କ ପରିବାର ଭଡ଼ା ଘରେ ରହିଆସୁଛି। ଏକ ସାକ୍ଷାତକାରରେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କହିଥିଲେ ସେ। ଆଇପିଏଲ୍‌ରୁ ମିଳିବାକୁ ଥିବା ଟଙ୍କାରେ ସେ ନିଜ ପରିବାର ଲାଗି ଘର କିଣିବେ ବୋଲି ପ୍ରକାଶ କରିଥିଲେ।

ପ୍ରକାଶ ଯେ, ତିଳକଙ୍କୁ ମୁମ୍ବାଇ୧.୭୦ କୋଟି ଟଙ୍କାରେ କିଣିଛି। ସେ ୨୭ ମାର୍ଚ୍ଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ନିଜର ଡେବ୍ୟୁ କରିଥିଲେ। ଏଯାବତ ସେ ୧୨ ମ୍ୟାଚ୍‌ ଖେଳି ମୁମ୍ବାଇ ଲାଗି ସବୁଠାରୁ ଅଧିକ ରନ୍‌ ୩୬୮ ରନ୍‌ କରିଛନ୍ତି।

Share