ଭି.ସୁଜ୍ଞାନ କୁମାରୀ ଦେଓ କିଏ, ଯାହାଙ୍କୁ ଭେଟିବାକୁ ଅଚାନକ ଚେନ୍ନାଇ ଗଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୨(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସନ୍ଧ୍ୟାରେ ସ୍ବତନ୍ତ୍ର ବିମାନ ଯୋଗେ ଚେନ୍ନାଇ ଯାଇଛନ୍ତି। ବିଜେଡିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲକୁ ଗସ୍ତ କରିଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଉଷା ଦେବୀ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏବଂ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଚେନ୍ନାଇ ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ବିଧାନସଭାରୁ ସିଧାସଳଖ ଭୁବନେଶ୍ୱର ବିମାନ ବନ୍ଦର ଅଭିମୁଖେ ଗସ୍ତ କରିଥିଲେ। ସେଠାରୁ ସା ୭ଟାରେ ଚେନ୍ନାଇ ଯାତ୍ରା କରିଛନ୍ତି । ଚେନ୍ନାଇ ବିମାନ ବନ୍ଦରରୁ ସଡ଼କ ମାର୍ଗରେ ଆପୋଲୋ ହସ୍ପିଟାଲକୁ ଯିବେ ।
ସୂଚନାଯୋଗ୍ୟ ଯେ ସୁଜ୍ଞାନ କୁମାରୀ ଦେଓ ଅସୁସ୍ଥ ହୋଇ ବର୍ତ୍ତମାନ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତ୍ରୀ ଏବଂ ୧୦ ଥର ବିଧାୟିକା ଭାବରେ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଛନ୍ତ। ଖଲ୍ଲିିକୋଟ ରାଣୀ ଭାବେ ମଧ୍ୟ ସେ ସୁପରିଚିତ ।

Share