ଜନ୍ମମାଟିରେ ପହଞ୍ଚିଲା କୁଏଟ୍‌ରେ ପ୍ରାଣ ହରାଇଥିବା ସନ୍ତୋଷଙ୍କ ମୃତଦେହ

ପୁରୁଷୋତ୍ତମପୁର,୧୫ା୬(ସିମାଞ୍ଚଳ ମିଶ୍ର): ରାଜ୍ୟରେ କାମଧନ୍ଦା ଅଭାବରୁ ନିଜେ ବଞ୍ଚିବା ସହ ପରିବାରକୁ ବଞ୍ଚାଇବା ଲାଗି ଦାଦନ ଖଟିବାକୁ କୁଏଟ୍‌ ଯାଇଥିବା ବେଳେ ସେଠାରେ ଜଳିଯାଇ ପ୍ରାଣ ହରାଇଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରଣଝାଲିର ସନ୍ତୋଷ ଗୌଡ଼ (୩୫) ଶ୍ରମିକଙ୍କ ମରଶରୀର ଶନିବାର ନିଜ ଜନ୍ମ ମାଟିରେ ପହଞ୍ଚଛି l ଗତ ବୁଧବାର ମୃତ୍ୟୁ ଘଟିବାର ୪ଦିନ ପରେ ଶନିବାର ସକାଳୁ ଭୁବନେଶ୍ୱର ଏୟାରପୋର୍ଟରେ ପରିବାର ସଦସ୍ୟଙ୍କୁ ମରଶରୀର ହସ୍ତାନ୍ତର କରାଯାଇଥିଲା। ପରେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଜନ୍ମମାଟି ରଣଝାଲିକୁ ଅଣାଯାଇଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା। ଅନ୍ୟପଟେ ମୃତକଙ୍କ ପରିବାର ନିକଟରେ ରାଜ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ବିଭୂତି ଜେନା, ସ୍ବରାଷ୍ଟ୍ର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଆସିକା ଏମ୍‌ପି ଅନିତା ଶୁଭଦର୍ଶିନୀ, ଖଲ୍ଲିକୋଟ ବିଧାୟକ ପୂର୍ଣଚନ୍ଦ୍ର ସେଠୀ, ଅରୁଣ କୁମାର ପଣ୍ଡା, ଯଜ୍ଞନାରାୟଣ ଦାଶଙ୍କ ସମେତ ବହୁ ଭାଜପା ନେତା ପହଞ୍ଚି ସମବେଦନା ଜଣାଇଛନ୍ତି। ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହାୟତା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଶୋକାକୁଳ ପରିବେଶ ମଧ୍ୟରେ ସନ୍ତୋଷଙ୍କ ମର ଶରୀରକୁ ଗ୍ରାମ ପରିକ୍ରମା କରାଯାଇ ପବିତ୍ର ଋଷିକୂଲ୍ୟା କୂଳରେ ସତ୍କାର କରାଯାଇଛି। ଏହି ସମୟରେ ପୁରୁଷୋତ୍ତମରୁର ବିଡିଓ ମନୋଜ କୁମାର ପଟ୍ଟନାୟକ,ଏସ୍‌ଡିପିଓ ରଜନୀକାନ୍ତ ସାମଲ, ତହସିଲଦାର ଲୋପାମୁଦ୍ରା ରଥ, ଜିଲା ସହକାରୀ ଶ୍ରମଅଧିକାରୀ ରଶ୍ମୀରେଖା ପଣ୍ଡା ଉପସ୍ଥିତ ରହିଥିଲେ।

Share