ବେରୁଟ୍,୨୯ା୧୧: ଲେବାନନର ରାଜଧାନୀ ବେରୁଟ ପାଇଁ ଗତ ଅଗଷ୍ଟ ୪ ସବୁଠୁ ଦୁଃଖଦାୟକ ଥିଲା। କାରଣ ଏହି ଦିନ ସେଠାରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଥିଲା। ଚାରିଆଡ଼େ ଧ୍ୱଂସ ବିଧ୍ୱଂସ ହୋଇଯାଇଥିଲା। ଏଥିରେ ଶହ ଶହ ଲୋକ ପ୍ରାଣ ହରାଇଥିଲେ। ଅନେକ ଲୋକ ଆହତ ହୋଇଥିଲେ। ଏଥିରେ ଅନେକ ମା’ ସେମାନଙ୍କ ପିଲାମାନଙ୍କୁ ହରାଇଥିଲେ। ଏହି ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଜଣେ ବୃଦ୍ଧା ଶହ ଶହ ଝିଅ କଣ୍ଢେଇ ତିଆରି କରିଛନ୍ତି। ବେରୁଟର ପିଲାମାନଙ୍କ ମଧ୍ୟରେ ହସ ଫେରାଇ ଆଣିବା ପାଇଁ ସେ ଏପରି ନିଷ୍ପତ୍ତି ନେଇଛନ୍ତି।
ୟୋଲାଣ୍ଡେ ଲାବାକି ନାମକ ଏହି ବୃଦ୍ଧା ଜଣଙ୍କ ବିସ୍ଫୋରଣ ପରଠାରୁ ଅର୍ଥାତ ୫ ତାରିଖ ସକାଳୁ ଉଠି ଏହି କଣ୍ଢେଇ ତିଆରି କରିବାରେ ଲାଗିପଡ଼ିଛନ୍ତି। ସେ ବର୍ତ୍ତମାନ ପର୍ଯ୍ୟନ୍ତ ୭୭ଟି କଣ୍ଢେଇ ତିଆରି କରିଛନ୍ତି। ୧୦୦ଟି ସମ୍ପୂର୍ଣ୍ଣ କରିବାକୁ ଆଉ ୨୩ଟି ବାକି ଅଛି। ପ୍ରତ୍ୟେକ ପୋଷାକରେ ପରିବାର ଏବଂ ସମ୍ପର୍କୀୟଙ୍କୁ ହରାଇଥିବା ଝିଅର ନାଁ ରଖାଯିବ।
ଆକ୍ରାମ ନେହେ ନାମକ ଜଣେ ବ୍ୟକ୍ତି ଫେସ୍ବୁକ୍ରେ ୟୋଲାଣ୍ଡେଙ୍କ ଏହି କାହାଣୀ ଶେୟାର କରିଛନ୍ତି। ଫରାସୀରୁ ଇଂରାଜୀକୁ ଅନୁବାଦ କରାଯାଇ ଏହି ପୋଷ୍ଟରେ ଦର୍ଶାଯାଇଛି, ‘ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କୁ ସୁସ୍ଥ କରିବା ପାଇଁ ୟୋଲାଣ୍ଡେଙ୍କ ଏହା ଏକ ପଦକ୍ଷେପ। ଅଗଷ୍ଟ ୪ ସବୁଦିନ ପାଇଁ କ୍ଷତି ସହ ସମକ୍ଷମ। ପିଲାମାନଙ୍କର ଜୀବନ ଦୀପ ଲିଭିଯାଇଛି। ଏହି ସ୍ମୃତିରେ ୟୋଲାଣ୍ଡେ କଣ୍ଢେଇଗୁଡ଼ିକ ତିଆରି କରି ରଖିଛନ୍ତି। ୧୦୦ଟି ପୂରଣ ହେଲେ ଯେଉଁ ପରିବାରବର୍ଗ ତାଙ୍କ ପିଲାମାନଙ୍କୁ ହରାଇଛନ୍ତି ତାଙ୍କୁ ବାଣ୍ଟି ଦେବେ।