ଡବ୍ଲୁଏଚ୍‌ଓର ଚେତାବନୀ: ଆଗକୁ ଆସୁଛି ଆହୁରି ଖରାପ ସମୟ

ନୂଆଦିଲ୍ଲୀ,୬।୭: ଆମେରିକାକୁ ପୁଣିଥରେ ଫେରୁଛି କରୋନା ସଂକ୍ରମଣ। ଅନ୍ୟପଟେ ଭାରତ ଓ ବ୍ରାଜିଲରେ ଦିନକୁ ହଜାର ହଜାର ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି। ରବିବାର ସାରା ବିଶ୍ୱରେ ୧ଲକ୍ଷ ୮୦ ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଚିନ୍ତା ବଢାଇ ଦେଇଛି। ଏହାକୁ ନେଇ ଏବେ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୫ ଲକ୍ଷ ଅତିକ୍ରମ କରି ସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩,୬୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୫ଲକ୍ଷ ୩୬ ହଜାରରୁ ଊର୍ଦ୍ଧ୍ୱ ହୋଇସାରିଛି। ରବିବାର ଆମେରିକାରେ ୪୪ହଜାର, ବ୍ରାଜିଲରେ ୨୬ ହଜାର ଓ ଭାରତରେ ୨୪ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ଦେଖି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ର ମହାନିର୍ଦ୍ଦେଶକ କହିଛନ୍ତି କିଛି ଦେଶରେ ଏବେବି କରୋନା ସ୍ଥିତି ସୁଧୁରିବା ପରିବର୍ତ୍ତେ ବଢି ଚାଲିଛି। କରୋନା କଟକଣାରେ ଯେତେ କୋହଳ କରାଯାଉଛି ସେହି ଅନୁଯାୟୀ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏହା ଯଦି ଅପରିବର୍ତ୍ତିତ ରହିଲା ତେବେ ଆଗକୁ ଆହୁରି ଖରାପ ସମୟ ଆସୁଛି ବୋଲି ସେ କହିଛନ୍ତି।

Share