ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା ଆସିବନି କରୋନା ଟିକା: ଡବ୍ଲୁଏଚ୍‌ଓ

ଜେନେଭା,୪।୯: କରୋନା ଟିକାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ଏକ ନୂଆ ବୟାନ ଜାରି କରିଛି। ଡବ୍ଲୁଏଚ୍‌ଓ କହିଛି ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା କରୋନା ଟିକା ପ୍ରସ୍ତୁତ ହୋଇପାରିବ ନାହିଁ। ଡବ୍ଲୁଏଚ୍‌ଓର ପ୍ରବକ୍ତା ମାଗରିଟ ହ୍ୟାରିସ କହିଛନ୍ତି ବିଶ୍ୱରେ ଯେତେସବୁ ଟିକା ନିର୍ମାଣକାରୀ କମ୍ପାନୀ କରୋନା ଟିକା ପ୍ରସ୍ତୁତ କରୁଛନ୍ତି ସେମାନେ ଏପର୍ଯ୍ୟନ୍ତ ୫୦ ପ୍ରତିଶତ ସଫଳତା ପାଇ ନାହାନ୍ତି। ଅନ୍ୟପଟେ ଆମେରିକାର ହେଲ୍‌ଥ ସେଣ୍ଟର ଫର୍‌ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରୋବେଶନ(ସିଡିସି)ର ଜନସ୍ବାସ୍ଥ୍ୟ ସହ ଜଡିତ ଏଜେନ୍ସିକୁ କହିଛି ଅକ୍ଟୋବର ବା ନଭେମ୍ବର ସୁଦ୍ଧା କରୋନା ଟିକା ପ୍ରସ୍ତୁତ ହୋଇଯିବ। ଏହାସହ ଆମେରିକାର ଏସଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କରାଯାଇଥିବା କରୋନା ଟିକାର ପରୀକ୍ଷଣ ତୃତୀୟ ସ୍ତରରେ ଥିବା କୁହାଯାଉଛି। କମ୍ପାନୀର ସୂଚନା ମୁତାବକ ଆମେରିକାରେ ପାଖାପାଖି ୮୦ ସ୍ଥାନରେ ୩୦ ହଜାର ସ୍ବୟଂସେବକଙ୍କ ଉପରେ ଏହାର ପରୀକ୍ଷା କରାଯାଉଛି। ଏହାପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏସଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କରାଯାଇଥିବା କରୋନା ଟିକାର ପରୀକ୍ଷଣ ତୃତୀୟ ସ୍ତରରେ ଥିବା କହିଥିଲେ। ଏହା ଖୁବ୍‌ଶୀଘ୍ର ବଜାରକୁ ଆସିବ ବୋଲି ମଧ୍ୟ କୁହାଯାଇଥିଲା।

Share