ଉହାନ ଲ୍ୟାବରୁ ଆସିନାହିଁ କରୋନା!

ଜେନେଭା,୧୩ ।୩: କରୋନା ମହାମାରୀର ଉତ୍ପତ୍ତିକୁ ନେଇ ଏବେବି ସନ୍ଦେହ ଜାରି ରହିଛି । ତେବେ କରୋନା ଭାଇରସ ଚାଇନାର ଉହାନ ଲ୍ୟାବରୁ ଆସିଥିବା କୁହାଯାଉଥିବା ବେଳେ ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ର କେତେଜଣ ବିଶେଷଜ୍ଞ ଏହାର ସତ୍ୟାସତ୍ୟ ଜାଣିବାକୁ ଚାଇନା ଗସ୍ତ କରିଥିଲେ । ହେଲେ ଏବେ ଏମାନେ ଦାବି କରିଛନ୍ତି ଯେ ଚାଇନାର ଉହାନ ଲ୍ୟାବରୁ କରୋନା ମହାମାରୀ ଆସିନାହିଁ । ଏହା ପଛର ସବୁଠାରୁ ବଡ କାରଣ ହେଉଛି ବନ୍ୟଜୀବ ବ୍ୟବସାୟ । ଚୌତମ ହାଉସ ଥିଙ୍କ-ଟେକର ଏକ ଭର୍ଚୁଆଲ ଇଭେଣ୍ଟରେ ବିଶେଷଜ୍ଞମାନେ କହିଛନ୍ତି ସେମାନଙ୍କୁ ଉହାନର ମାଂସ ବଜାର ଓ ଦକ୍ଷିଣ ଚାଇନାର ପଡୋଶୀ ଅଞ୍ଚଳ ମଧ୍ୟରେ ଏକ ଲିଙ୍କ ମିଳିଛି । ସୂଚନାଯୋଗ୍ୟ, ପ୍ରଥମଥର ଲୋକେ ଏହି ମାଂସ ବଜାରରେ କରୋନା ସଂକ୍ରମଣର ଶିକାର ହୋଇଥିଲେ । ଆଉ ଦକ୍ଷିଣ ଚାଇନାର ପଡୋଶୀ ଅଞ୍ଚଳରେ ବାଦୁଡିଠାରେ କରୋନା ସଂକ୍ରମଣ ମିଳିଥିବା କୁହାଯାଇଥିଲା । ତେଣୁ ଡବ୍ଲୁଏଚ୍‌ଓ ବିଶେଷଜ୍ଞଙ୍କ କହିବା କଥା ହେଲା ଏହା ଉହାନ ଲ୍ୟାବରୁ ନୁହେଁ ବରଂ ବନ୍ୟଜୀବଙ୍କଠାରୁ ବ୍ୟାପିଥିବା ଅନୁମାନ କରାଯାଉଛି ।

Share