ଚାଇନାକୁ ଘେରିଲା ଡବ୍ଲ୍ୟୁଏଚ୍‌ଓ: କରୋନା ନମୁନା ନଷ୍ଟ କରୁଥିବା ଅଭିଯୋଗ…

ଜେନେଭା/ବେଜିଂ,୯।୬: କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ଏବେ ହରଡ଼ଘଣାରେ ପଡ଼ିଛି। ଏବେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଚାଇନାକୁ ଘେରିଛି। କରୋନା ନମୁନା ସହିତ ଏସମ୍ପର୍କିତ ବିଭିନ୍ନ ତଥ୍ୟ ଚାଇନା ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ଡବ୍ଲ୍ୟୁଏଚ୍‌ଓର ପରାମର୍ଶଦାତା ବୋର୍ଡ ସଦସ୍ୟ ଜେମି ମେଟଜଲ ଏନେଇ ସୂଚନା ଦେଇଛନ୍ତି। ଚାଇନାର ସରକାର ଜାଣିଶୁଣି ନମୁନା ନଷ୍ଟ କରୁଛନ୍ତି। ଏହା ସହିତ ଗୁରୁତ୍ୱପୂର୍ଣ୍ଣ ରେକର୍ଡକୁ ଲୁଚାଇବା ଆରମ୍ଭ କରିଥିବା ସେ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କରୋନା ଭୂତାଣୁର ସୃଷ୍ଟି ସମ୍ପର୍କିତ ତଥ୍ୟ ୯୦ ଦିନ ମଧ୍ୟରେ ଲୋଡ଼ିବା ନେଇ ଘୋଷଣା କରିବା ପରେ ଚାଇନା ସତ୍ୟ ପ୍ରଘଟ ହେବା ଭୟରେ ଏଭଳି କରୁଥିବା ଅନୁମାନ କରାଯାଉଛି। ସତ୍ୟକୁ ଲୁଚାଇବା ପାଇଁ ଚାଇନା ନିଜ ବୈଜ୍ଞାନିକଙ୍କୁ ତାଗିଦ୍‌ କରିବା ସହିତ କରୋନା ଭୂତାଣୁ ସୃଷ୍ଟି ସମ୍ପର୍କରେ ପ୍ରଶ୍ନ କରୁଥିବା ଗଣମାଧ୍ୟମ ପ୍ରତିନିଧି ଏବଂ ସାଧାରଣ ଲୋକଙ୍କୁ ବଳର୍ପୂବକ ଜେଲ୍‌ରେ ରଖୁଥିବା ଅଭିଯୋଗ ହେଉଥିବା ଜେମି ମେଟଜଲ କହିଛନ୍ତି। ଚାଇନା ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ କେତେକ ଜୈବ ସୁରକ୍ଷା ପ୍ରୟୋଗଶାଳା ପ୍ରତିଷ୍ଠାର ଯୋଜନା କରିଥିବା ସେ କହିଛନ୍ତି।

Share