ଭୁବନେଶ୍ୱର, ୫।୭(ବ୍ୟୁରୋ)- ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶାକୁ ସଫଳତା ମିଳିଛି। ତେବେ ରାଜ୍ୟ ସରକାର କିଭଳି ଭାବେ ମୁକାବିଲା କରି ମ୍ୟାଲେରିଆକୁ ନିୟନ୍ତ୍ରଣ କରିପାରିଲେ ସେ ସମ୍ପର୍କରେ ଜାଣିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍ଓ)ର ଏକ ଟିମ୍ ଓଡ଼ିଶା ଆସିଛନ୍ତି।
ଏ ସମ୍ପର୍କରେ ମଙ୍ଗଳବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ସୂଚନା ଦେଇ କହିଛନ୍ତି, ୨୦୧୬ ମସିହାରେ ରାଜ୍ୟରେ ସାଢ଼େ ୪ ଲକ୍ଷ ମ୍ୟାଲେରିଆ ରୋଗୀ ଚିହ୍ନଟ କରାଯାଇଥିଲା। ଗତବର୍ଷ ଏହା ଖସି ୨୫ ହଜାରରେ ପହଞ୍ଚିଛି। ଓଡ଼ିଶା ସଫଳତାକୁ ଅନୁକରଣ କରି ଅନ୍ୟ ରାଜ୍ୟରେ କିପରି ତାହା କାର୍ଯ୍ୟକାରୀ କରାଯାଇପାରିବ ପରଖିବାକୁ ଡବ୍ଲ୍ୟୁଏଚ୍ଓ ଟିମ୍ ଓଡ଼ିଶା ଆସିଛନ୍ତି।