ଆକ୍ସନ ମୁଡ୍‌ରେ ଡବ୍ଲୁଏଚ୍‌ଓ!

ବେଜିଂ,୩୦ ।୧: କରୋନା ମହାମାରୀ ସାରା ବିଶ୍ୱର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଏବେ ଏହାକୁ ନେଇ ଖୋଳତାଡ ଆରମ୍ଭ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) । ଏହି ମହାମାରୀ ପ୍ରଥମେ ଚାଇନାରେ ୨୦୧୯ରେ ଦେଖାଦେଇଥିବା ବେଳେ ୨୦୨୦ ସୁଦ୍ଧା ଏହା ସାରା ବିଶ୍ୱକୁ ବ୍ୟାପି ଯାଇଥିଲା । ଫଳରେ କୋଟି କୋଟି ଲୋକ ଏଥିରେ ପୀଡି଼ତ ହେବା ସହ ପ୍ରାଣ ବି ହାରାଇଥିଲେ । କିନ୍ତୁ ଏହି ମହାମାରୀରକୁ ନେଇ ଏବେବି ଗବେଷଣା ଜାରି ରହିଛି । କାରଣ ଏପର୍ଯ୍ୟନ୍ତ ଏହାର ସଠିକ୍ ଚିକିତ୍ସା ପଦ୍ଧତି ମିଳିପାରି ନାହିଁ । ନିକଟରେ ଡବ୍ଲୁଏଚ୍‌ଓର ଏକ ଟିମ୍ ଚାଇନା ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ସେମାନେ ଚାଇନାର ସୂଚନା ଅନୁଯାୟୀ, ଯେଉଁ ହସ୍ପିଟାଲରେ ପ୍ରଥମ କରୋନା ରୋଗୀଙ୍କ ଚିକିତ୍ସା କରାଯାଇଥିଲା ସେଠାରେ ପହଞ୍ଚିଛନ୍ତି ଓ ପଚରା ଉଚରା କରିଛନ୍ତି । ଏଥିରୁ ଅନୁମାନ କରାଯାଉଛି ହୁଏତ ଡବ୍ଲୁଏଚ୍‌ଓ କରୋନା ଭାଇରସ ସମ୍ପର୍କରେ କିଛି ନୂଆ ତଥ୍ୟ ପାଇପାରେ । ସୂଚନାଯୋଗ୍ୟ, ୨୦୧୯ ଡିସେମ୍ବର ୨୭ରେ କରୋନା ଭାଇରସରେ ପୀଡ଼ିତ ପ୍ରଥମ ରୋଗୀଙ୍କ ଚିକିତ୍ସା ଚାଇନାର ଉହାନରେ ଥିବା ‘ହୁବଇ ପ୍ରୋଭିନସିକାଲ ହସ୍ପିଟାଲ ଅଫ୍ ଇଣ୍ଟିଗ୍ରେଟେଡ ଚାଇନିଜ ଆଣ୍ଡ ୱେଷ୍ଟର୍ଣ୍ଣ ମେଡିସିନ’ରେ କରାଯାଇଥିଲା । ପ୍ରଥମେ ପ୍ରଥମେ କରୋନା ଯାଞ୍ଚ ଲାଗି ଚାଇନା ଅନୁମତି ଦେଉ ନ ଥିବା ବେଳେ ଏବେ ଡବ୍ଲୁଏଚ୍‌ଓ ଏହି ଭାଇରସକୁ ନେଇ ଚାଇନାରେ ଯେଉଁ ଅନୁସନ୍ଧାନ ଆରମ୍ଭ କରିଛି ଏଥିରୁ କିଛି ଲାଭ ମିଳିପାରେ ବୋଲି ଆଶା କରାଯାଉଛି ।

Share