ଭାରତର ୨କଫ୍‌ ସିରପ୍‌କୁ ନେଇ ସତର୍କ କରାଇଲା ଡବ୍ଲ୍ୟୁଏଚ୍‌ଓ

ଜେନେଭା,୧୨।୧: କଫ୍‌ ସିରପ୍‌ରେ ଉପଯୁକ୍ତ ପରିମାଣର ଡାଇଇଥିଲନ୍‌ ଗ୍ଲାଇକୋଲ ନ ଥିବା ଯୋଗୁ ଭାରତ ନିର୍ମିତ ଦୁଇ କଫ୍‌ ସିରପ୍‌ ଛୋଟ ପିଲାଙ୍କୁ ନ ଦେବାକୁ ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ୍‌ (ଡବ୍ଲ୍ୟୁଏଚ୍‌ଓ) ସତର୍କ କରିଛି। ଉଜ୍‌ବେକିସ୍ତାନରେ କଫ୍‌ ସିରପ୍‌ ପିଇ ୧୯ ପିଲାଙ୍କ ମୃତ୍ୟୁ ଘଟଣାରେ ନୋଏଡାର ଫାର୍ମା କମ୍ପାନୀ ମାରିଓନ୍‌ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ଏମ୍ବ୍ରୋନୋଲ ଏବଂ ଡୋକ୍‌-୧ କଫ୍‌ ସିରପ୍‌କୁ ଡବ୍ଲ୍ୟୁଏଚ୍‌ଓ ଦାୟୀ କରିଛି। ଭାରତ ନିର୍ମିତ କଫ୍‌ ସିରପ୍‌ ପିଇବା ଯୋଗୁ ୧୯ ଶିଶୁଙ୍କ ମୃତ୍ୟୁ ଘଟିଥିବା ଉଜ୍‌ବେକିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗତ ଡିସେମ୍ବରରେ କୁହାଯାଇଥିଲା। ଘଟଣା ସମ୍ପର୍କରେ ଡବ୍ଲ୍ୟୁଏଚ୍‌ଓ ଯାଞ୍ଚ ଆରମ୍ଭ କରିଥିଲା। ତେବେ ଲାବ୍ରୋଟୋରି ଟେଷ୍ଟ ପରେ ଉକ୍ତ କଫ୍‌ ସିରପ୍‌ରେ ବିଭିନ୍ନ ଉପାଦାନର ମାତ୍ରା ଠିକ୍‌ ପରିମାଣରେ ନ ଥିବା ଡବ୍ଲ୍ୟୁଏଚ୍‌ଓ ଜାଣିବାକୁ ପାଇଥିବା ନିଜ ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ କରିଛି। ଉଜ୍‌ବେକିସ୍ତାନ ଛଡ଼ା ଅନ୍ୟ ଦେଶର ଲୋକେ ମଧ୍ୟ ମାରିଓନ୍‌ ବାୟୋଟେକ୍‌ର ଉକ୍ତ କଫ୍‌ ସିରପ୍‌ ଶିଶୁଙ୍କ କ୍ଷେତ୍ରରେ ବ୍ୟବହାର ନ କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି। ଅନ୍ୟପକ୍ଷେ ଏହି କଫ୍‌ ସିରପ୍‌ ସେବନ ଦ୍ୱାରା ଛୋଟ ପିଲାଙ୍କ ସ୍ବସ୍ଥ୍ୟାବସ୍ଥା ବିଗିଡ଼ିଯିବାର ଆଶଙ୍କା ଥିବା ଜାତିସଂଘ ସ୍ବାସ୍ଥ୍ୟ ଏଜେନ୍ସି କହିଛି। ଏ ନେଇ ଉତ୍ତର ପ୍ରଦେଶ ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରବନ୍ଧନ ମାରିଓନ୍‌ ବାୟୋଟେକ୍‌ର ପ୍ରଡକ୍ସନ ଲାଇସେନ୍ସକୁ ରଦ୍ଦ କରିଛି। କମ୍ପାନୀ ଯାଞ୍ଚ ଅଧିକାରୀଙ୍କୁ ଉପଯୁକ୍ତ ତଥ୍ୟ ନ ଦେବା ସହ କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ନ ଦେବାରୁ ପ୍ରବନ୍ଧନ ପକ୍ଷରୁ ଏ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି।

Share