Categories: ଜାତୀୟ

ଜାଣନ୍ତୁ କଶ୍ମୀରରେ ଶହୀଦ ହୋଇଥିବା କଲୋନେଲ୍‌ ମନପ୍ରୀତ୍‌ ସିଂହଙ୍କ କାହାଣୀ, ଶେଷ ଥର ଲାଗି ଭିଣୋଇଙ୍କ ସହ ହୋଇଥିଲେ କଥା

ଶ୍ରୀନଗର,୧୪।୯: କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ମଧ୍ୟରେ ଜଣେ ମୋହାଲିର କଲୋନେଲ ମନପ୍ରୀତ୍‌ ସିଂହ ଥିଲେ। ସେ ବୁଧବାର ସକାଳେ ସର୍ଚ୍ଚ ଅପରେଶନ କରୁଥିବା ବାଟାଲିୟନର ନେତୃତ୍ୱ ନେଉଥିଲେ। ହେଲେ ଆତଙ୍କବାଦୀଙ୍କସହ ଗୁଳି ବିନିମୟରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ପରେ ସେ ଶହୀଦ ହୋଇଥିଲେ। ତାଙ୍କ ବ୍ୟତିତ ଜମ୍ମୁ କଶ୍ମୀର ପୋଲିସର ଡିଏସ୍‌ପି ମେଜର ଆଶିଷ ଧୋନୈକ ଏବଂ ପୋଲିସ କର୍ମଚାରୀ ହ୍ୟୁମାୟୁନ ଭଟ୍ଟ ମଧ୍ୟ ଶହୀଦ ହୋଇଥିଲେ।

କଲୋନେଲ୍‌ ମନପ୍ରୀତ୍‌ ସିଂହ ୧୨ତମ ଶିଖ୍‌ ଏଲ୍‌ଆଇର ଯବାନ ଥିଲେ। ତାଙ୍କୁ ସେନା ମେଡାଲ ମିଳିଥିଲା। ଶହୀଦ ହେବା ପୂର୍ବରୁ ସେ ଶେଷଥର ଲାଗି ଭିଣୋଇ ବିରେନ୍ଦ୍ର ଗିଲଙ୍କ ସହ କଥା ହୋଇଥିଲେ। ଅପରେଶନ ଚାଲିଥିବାରୁ ସେ ବ୍ୟସ୍ତ ଥିବା କହିଥିଲେ। ହେଲେ ଅପରାହ୍ନରେ ସେ ଶହୀଦ ହୋଇଥିବା ପରିବାରଲୋକେ ଜାଣିବାକୁ ପାଇଥିଲେ। ତାଙ୍କ ପରେ ଏବେ ପରିବାରରେ ସ୍ତ୍ରୀ, ମା’ ଏବଂ ଦୁଇ ସନ୍ତାନ(୬ ବର୍ଷର ପୁଅ, ୨ ବର୍ଷର ଝିଅ) ଅଛନ୍ତି। ତେବେ ତାଙ୍କ ପତ୍ନୀଙ୍କ ଶହୀଦ ହେବା ଖବର ଦିଆଯାଇ ନ ଥିବା ଜଣାପଡ଼ିଛି।

କଲୋନେଲ୍‌ ମନପ୍ରୀତ ୧୭ ବର୍ଷର ସେବା ପୂରଣ କରିସାରିଥିଲେ। ଆଉ ଚାରି ମାସ ପରେ ସେ ରାଷ୍ଟ୍ରୀୟ ରାଇଫଲ ସହ ନିଜର କାର୍ଯ୍ୟକାଳ ପୂରଣ କରିଥାନ୍ତେ।

Share