କିଏ ହେବେ ବାଜଓ୍ବାଙ୍କ ଉତ୍ତରାଧିକାରୀ

ଇସ୍‌ଲାମାବାଦ,୨୪ା୧୧: ଆଣବିକ ଅସ୍ତ୍ରସମ୍ପନ୍ନ ପାକିସ୍ତାନୀ ସେନା ଖୁବ୍‌ଶୀଘ୍ର ନୂଆ କମାଣ୍ଡର ପାଇବ। ସ୍ଥଳସେନା ମୁଖ୍ୟ ଜେନେରାଲ ଜାଭେଦ ବାଜ୍‌ଓ୍ବାଙ୍କ ୬ ବର୍ଷର କାର୍ଯ୍ୟକାଳ ଆସନ୍ତା ୨୯ରେ ଶେଷ ହେବ। ସେ ଅବସର ନେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ନୂଆ ସେନା ମୁଖ୍ୟଙ୍କୁ ନିଯୁକ୍ତ କରିବେ।

ପ୍ରଧାନମନ୍ତ୍ରୀଙ୍କ ନିକଟକୁ ୬ ଜଣଙ୍କ ନାମ ସୁପାରିସ କରାଯାଇଛି। ତେଣୁ ଦେଶର ସବୁଠୁ ଶକ୍ତିଶାଳୀ ପଦରେ କାହାକୁ ନିଯୁକ୍ତି ମିଳୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ୧୯୪୭ରେ ପାକିସ୍ତାନ ସ୍ବାଧୀନ ହେବା ପରଠାରୁ ଦେଶରେ ସେନାକୁ ସବୁଠୁ ଶକ୍ତିଶାଳୀ ବିବେଚନା କରାଯାଇଆସୁଛି। ୭୫ ବର୍ଷ ମଧ୍ୟରେ ସେନା ୩ ଦଶନ୍ଧି ଧରି ସାମରିକ ଶାସନ ଜାରି କରିଛି।

୨୦୧୬ ନଭେମ୍ବରରେ ବାଜ୍‌ଓ୍ବା ୬ ଲକ୍ଷ ସୈନ୍ୟ ବିଶିଷ୍ଟ ପାକିସ୍ତାନୀ ସେନାର ଦାୟିତ୍ୱ ନେଇଥିଲେ। ବାଜ୍‌ଓ୍ବାଙ୍କ ୩ ବର୍ଷିଆ କାର୍ଯ୍ୟକାଳ ୨୦୧୯ରେ ଶେଷ ହେବା ପରେ ତତ୍କାଳୀନ ଇମ୍ରାନ୍‌ ଖାନ୍‌ ସରକାର ତାଙ୍କ ଅବଧି ଆଉ ୩ ବର୍ଷ ବଢ଼ାଇଥିଲେ। ପ୍ରଧାନମନ୍ତ୍ରୀ ଶରିଫ ଉପଯୁକ୍ତ ସମୟରେ ନୂଆ ସେନାମୁଖ୍ୟଙ୍କୁ ନିଯୁକ୍ତି ଦେବେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍‌ ଟୁଇଟ୍‌ କରିଛନ୍ତି। ସେନା ମୁଖ୍ୟ ଦୌଡ଼ରେ ଥିବା ଅଧିକାରୀମାନେ ହେଲେ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଆସିମ୍‌ ମୁନିର, ସାହିର ଶମ୍‌ଶଦ ମିର୍ଜା, ଅଜହର ଅବ୍ବାସ, ନଉମାନ ମେହମୁଦ, ଫୈଜ୍‌ ମହିଦ ଏବଂ ମହମ୍ମଦ ଆମିର।

Share