ରତ୍ନଭଣ୍ଡାର ଖୋଲାଯିବା ସମୟରେ କେଉଁମାନେ ଯିବେ ଭିତରକୁ ଜାଣନ୍ତୁ…

ପୁରୀ,୧୩ା୭: ସବୁ ପ୍ରତୀକ୍ଷାର ହେବ ଅନ୍ତ। ଆସନ୍ତକାଲି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇ ସ୍ବର୍ଣ୍ଣ ଅଳଙ୍କାର ଗଣତି ହେବ। ଏନେଇ ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ଏନେଇ ପ୍ରସ୍ତୁତ କରିଥିବା ଏସ୍‌ଓପି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଛି। ସବୁଠୁ ଉତ୍ସୁକତା ବିଷୟ ହେଉଛି ଏହି ରତ୍ନଭଣ୍ଡାର ଖୋଲାଯିବା ସମୟରେ କେଉଁମାନେ ଭିତରକୁ ଯିବେ। ଏନେଇ ଏସ୍‌ଓପିରେ ମଧ୍ୟ ଉଲ୍ଲେଖ ରହିଛି।

ତେବେ ରତ୍ନଭଣ୍ଡାର ଖୋଲାଯିବା ସମୟରେ ତଦାରଖ କମିଟିର ୨ ଜଣ, ଜିଲାପାଳ, ତାଲା ଭଙ୍ଗା ଟିମ୍‌ ଯିବେ। ଏଥିସହିତ ଏଏସ୍‌ଆଇ ଟିମ୍‌, ଭଣ୍ଡାର ମେକାପ, ତଡ଼ଉ କରଣ ମଧ୍ୟ ଯିବେ। ରତ୍ନ ଅଳଙ୍କାର ରଖିବା ପାଇଁ ମନ୍ଦିର ଭିତରେ ସ୍ଥାନ ଚିହ୍ନଟ ହୋଇସାରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଚାବିରେ ଯଦି ତାଲା ନ ଖୋଲେ ତାଲା ଭଙ୍ଗାଯାଇ ଖୋଲାଯିବ ବୋଲି ତଦାରଖ କମିଟିର ଅଧ୍ୟକ୍ଷ ବିଶ୍ୱନାଥ ରଥ କହିଛନ୍ତି। ତାଲା ଭାଙ୍ଗିବା ପାଇଁ ତାଲା ଭଙ୍ଗା ଟିମ୍‌କୁ ଡକାଯାଇଛି। ଏଥିସହିତ ସ୍ନେକ୍‌ ହେଲ୍ପଲାଇନ୍‌ ଓ ମେଡିକାଲ ଟିମ୍‌ ମଧ୍ୟ ଷ୍ଟାଣ୍ଡ ବାଇ ରହିବେ। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଭିତରକୁ ଯିବାକୁ ପଡ଼ିପାରେ ବୋଲି ଅଧ୍ୟକ୍ଷ କହିଛନ୍ତି।

Share