Categories: ଜାତୀୟ

କିଏ ହେବ ପରବର୍ତ୍ତି ସିଡିଏସ୍‌, ଏବେ ଏହାକୁ ନେଇ ଆରମ୍ଭ ହୋଇଗଲାଣି ମନ୍ଥନ

ନୂଆଦିଲ୍ଲୀ,୯ ।୧୨: ବୁଧବାର ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ପରଲୋକ ହୋଇଛି । ଏମାନଙ୍କ ବ୍ୟତୀତ ଅନ୍ୟ ୧୧ ସେନାଧିକାରୀ ମଧ୍ୟ ଶହୀଦ ହୋଇଛନ୍ତି । ତେବେ ବିପିନ ରାୱତଙ୍କ ପରଲୋକ ପରେ କିଏ ହେବ ସିଡିଏସ୍ ଏବେ ଏହାକୁ ନେଇ ମନ୍ଥନ ଆରମ୍ଭ ହୋଇ ଗଲାଣି । ମୋଦି ସରକାରଙ୍କ ପାଇଁ ଏହା ଏତେ ସହଜ ନୁହେଁ ବୋଲି କୁହାଯାଉଛି । ମାତ୍ର ୨ ବର୍ଷ ଏହି ପଦରେ ରହି ବିପିନ ରାୱତ ଦେଶରେ ପ୍ରତିରକ୍ଷା କ୍ଷେତରେ ଅନେକ ସୁଧାର ଆଣି ମହତ୍ୱାକାଂକ୍ଷୀ ପଦକ୍ଷେପ ନେଇଥିଲେ ।
ମୋଦି ସରକାର ସିଡିଏସ୍ ପଦବୀ ଏଇଥିପାଇଁ ତିଆରି କରିଥିଲେ, କି ୩ ସେନା ବାୟୁସେନା, ସ୍ଥଳସେନା ଓ ନୌସେନାକୁ ଏକ କରାଯାଇପାରେ । ଏଥିପାଇଁ ୩ ସେନାଙ୍କୁ ଭିନ୍ନ ଭିନ୍ନ କମାଣ୍ଡ ସ୍ଥାନରେ ଦେଶରେ ଥିଏଟର କମାଣ୍ଡ ପ୍ରସ୍ତୁତ କରାଯାଇପାରେ । ହେଲେ ଏହା ଏତେ ସହଜ ନ ଥିଲା । ମୋଦି ସରକାର ବିପିନ ରାୱତଙ୍କୁ ସ୍ଥଳସେନା ମୁଖ୍ୟ ପଦରୁ ଅବସର ନେବାପୂର୍ବରୁ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) କରି ଦେଇଥିଲେ । କାରଣ ଜେନରାଲ ବିପିନ ରାୱତ ନିଜେ କହୁଥିଲେ କି ଆଧୁନିକ ଯୁଦ୍ଧକୁ ସେନାର କୌଣସି ଗୋଟିଏ ଅଙ୍ଗ ଏକାକି ଜିତି ପାରିବ ନାହିଁ ।
ସିଡିଏସ୍ ଜେନରାଲ ବିପିନ ରାୱତଙ୍କ ପରଲୋକକୁ ନେଇ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାକୁ ଭରଣା କରିବା ମୋଦି ସରକାରଙ୍କ ପାଇଁ ଏତେ ସହଜ ହେବନି ବୋଲି କୁହାଯାଉଛି । ତେବେ ସିଡିଏସ୍ ପଦ ପାଇଁ ସବୁଠାରୁ ବଡ ମିଲିଟାରୀ କମାଣ୍ଡର ଭାବେ ଜେନରାଲ ଏମ୍‌ଏମ୍ ନରାୱେଣେଙ୍କ ନାମ ପ୍ରଥମେ ଆସୁଛି । ହେଲେ ୨୦୨୨ ପର୍ଯ୍ୟନ୍ତ ରହିଛି ନରାୱଣେଙ୍କ କାର୍ଯ୍ୟକାଳ, ଯଦି ତାଙ୍କୁ ସିଡିଏସ୍ କରି ଦିଆଯାଏ ତେବେ ପୁଣିଥରେ ସ୍ଥଳ ସେନା ମୁଖ୍ୟ ଖୋଜିବାକୁ ପଡିବ । ଏହାପରେ ନାଁ ଆସୁଛି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ବି ଆର ଚୌଧୁରୀଙ୍କର । ହେଲେ ସେ ଚଳିତ ବର୍ଷ ଅକ୍ଟୋବରରେ ବାୟୁସେନା ମୁଖ୍ୟଭାବେ ପଦ ସମ୍ଭାଳିଛନ୍ତି । ଏହାପରେ ଆସୁଛି ନୌସେନା ମୁଖ୍ୟ ଆଡମିରାଲ ଆର ହରିହରନଙ୍କ ନାଁ । ହେଲେ ସେ ବି ଚଳିତ ବର୍ଷ ନଭେମ୍ବର ୩୦ରେ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି । ଆହୁରି ମଧ୍ୟ ସିଡିଏସ୍ ନମ୍ବର ୨ ଅର୍ଥାତ୍ ଚିଫ୍ ଅଫ୍ ଇଣ୍ଟିଗ୍ରେଟେଡ ଷ୍ଟାଫଙ୍କୁ ଏହା ଦିଆଯାଇପାରେ । ଏବେ ଏହି ପରେ ରହିଛନ୍ତି ଏୟାର ମାର୍ଶାଲ ବି ଏମ୍ କୃଷ୍ଣା, ଯିଏ ଥ୍ରୀ-ଷ୍ଟାର ଜନରାଲ ଅଛନ୍ତି । ହେଲେ ୩ ସେନା ମୁଖ୍ୟଙ୍କୁ ବାଦ୍‌ଦେଇ ଜଣେ ଥ୍ରୀ-ଷ୍ଟାର ଜେନରାଙ୍କୁ ସିଡିଏସ୍ ପଦବୀ ଦେବା ସରକାରଙ୍କ ପାଇଁ ସାମାନ୍ୟ କଠିନ ହୋଇପାରେ ବୋଲି କୁହାଯାଉଛି ।

Share