Categories: ଜାତୀୟ

କିଏ ହେବେ ପିଏମ: ଇଣ୍ଡିଆ ମେଣ୍ଟରେ ପୋଷ୍ଟର ଯୁଦ୍ଧ, କଂଗ୍ରେସ କହିଲା ରାହୁଲ, ଏସପି କହିଲା ଅଖିଳେଶ, ଦେଖନ୍ତୁ ଭାଇରାଲ ଭିଡିଓ…

ଲକ୍ଷ୍ନୌ,୨୬।୧୦ : ଇଣ୍ଡିଆ ମେଣ୍ଟର ଦୁଇ ପ୍ରମୁଖ ସହଯୋଗୀ ଦଳ ମଧ୍ୟରେ ମତଭେଦ ବଢ଼ିବାରେ ଲାଗିଛି। ସମାଜବାଦୀ ପାର୍ଟି (ଏସପି) ଏବଂ କଂଗ୍ରେସ ମଧ୍ୟରେ ମତଭେଦକୁ ରୋକିବା ପାଇଁ ଅଖିଳେଶ ଯାଦବ ଚେଷ୍ଟା କରୁଛନ୍ତି। ସେମାନଙ୍କ ମଧ୍ୟରେ ସବୁକିଛି ଠିକ ଅଛି ବୋଲି ଅଖିଳେଶ ସର୍ବସାଧାରଣରେ ଦାବି କରୁଛନ୍ତି। ତେବେ ବାସ୍ତବରେ ଏହା ଦେଖାଯାଉଛି ଦୁଇ ରାଜନୈତିକ ଦଳ ମଧ୍ୟରେ ଆଭ୍ୟନ୍ତରୀଣ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି।

ଉତ୍ତରପ୍ରଦେଶର କଂଗ୍ରେସ କର୍ମୀମାନେ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ଦର୍ଶାଇ ପୋଷ୍ଟର ଲଗାଇଛନ୍ତି। ଅକ୍ଟୋବର ୨୬, ଗୁରୁବାର ଉତ୍ତରପ୍ରଦେଶର ଲକ୍ଷ୍ନୌର ଦଳର ମୁଖ୍ୟାଳୟ ବାହାରେ ଏହି ପୋଷ୍ଟର ଲଗାଯାଇଥିଲା। ତିନି ଦିନ ତଳେ ଅକ୍ଟୋବର ୨୩ ରେ ସମାଜବାଦୀ ପାର୍ଟି (ଏସପି) ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭାରତର ଭବିଷ୍ୟତର ପ୍ରଧାନମନ୍ତ୍ରୀ ଭାବରେ ଦର୍ଶାଇ ପୋଷ୍ଟର ଲଗାଯାଇଥିଲା।

 

 

ଏହି ପୋଷ୍ଟରରେ ରାଜ୍ୟ କଂଗ୍ରେସ ମୁଖ୍ୟ ଅଜୟ ରାୟଙ୍କୁ ୨୦୨୭ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଚିତ୍ରଣ କରାଯାଇଛି।

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଏସପିଙ୍କ ସହ ଆସନ ବାଣ୍ଟିବାକୁ କଂଗ୍ରେସ ମନା କରିବା ପରେ ଅଖିଳେଶ ଯାଦବ ମିଳିତ ମଞ୍ଚର ଭବିଷ୍ୟତ ବିଷୟରେ ଚେତାବନୀ ଦେଇଛନ୍ତି। ଏହି ପୋଷ୍ଟରଗୁଡିକ ଏପରି ଏକ ସମୟରେ ଆସିଛି ଯେତେବେଳେ ଇଣ୍ଡିଆ ମେଣ୍ଟର ଦୁଇ ପ୍ରମୁଖ ସଦସ୍ୟ କଂଗ୍ରେସ ପାର୍ଟି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ମତଭେଦ ଦେଖାଦେଇଛି। ଏହା ଦ୍ୱାରା ଇଣ୍ଡିଆ ମେଣ୍ଟ ଅସୁବିଧାରେ ଥିବା ପରି ଦେଖାଯାଉଛି।

 

 

Share