Advertisement

କିଏ ହେବେ କାର୍ଯ୍ୟ ନିର୍ବାହୀ ପ୍ରଧାନମନ୍ତ୍ରୀ: ପାକିସ୍ତାନରେ ଚର୍ଚ୍ଚା…

ଇସଲାମାବାଦ,୫।୮ : ପିଏମଏଲ-ଏନ ଅଧ୍ୟକ୍ଷ ଶେହବାଜ ସରିଫ ସହଯୋଗୀ ଦଳର ନେତାଙ୍କ ସହ ଏକ ବୈଠକ କରି ଦେଶରେ ସାଧାରଣ ନିର୍ବାଚନର ତଦାରଖ କରିବା ପାଇଁ ଜଣେ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀଙ୍କ ନାମ ଉପରେ ଆଲୋଚନା କରିଛନ୍ତି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ସରିଫ ଏବଂ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ, ଶାସକ ଦଳ ପିଡିଏମ, ଜୁୟୁ-ଏଫ ମୁଖ୍ୟ ମୌଲାନା ଫଜଲୁର ରେହମାନ ଏବଂ ଅନ୍ୟ ନେତାମାନେ ଏହି ବୈଠକରେ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ ସହଯୋଗୀ ନେତାମାନଙ୍କୁ କାର୍ଯ୍ୟନିର୍ବାହୀ ବ୍ୟବସ୍ଥା ତଥା ଅଗଷ୍ଟ ୯ରେ ଜାତୀୟ ଆସେମ୍ବ୍ଲି ଭଙ୍ଗ କରାଯିବ ବୋଲି କହିଥିଲେ। ଶାସକ ମିଳିତ ମଞ୍ଚର ସୂତ୍ରରୁ ଜଣାପଡିଛି ବିଚାର ବିମର୍ଶ ପରେ ସହଯୋଗୀ ଦଳର ନେତାମାନେ ଶାହାବାଜଙ୍କ ୧୫ ମାସର ସରକାରଙ୍କୁ ପ୍ରଶଂସା କରିଥିଲେ ଏବଂ ତାଙ୍କ ନେତୃତ୍ୱ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ।

ସରିଫ ମିଳିତ ଦଳର ନେତାମାନଙ୍କୁ ଆନୁଷ୍ଠାନିକ ଭାବେ କହିଛନ୍ତି ସେ ରାଷ୍ଟ୍ରୀୟ ଆସେମ୍ବ୍ଲିକୁ ଭଙ୍ଗ କରିବା ପାଇଁ ଅଗଷ୍ଟ ୯ରେ ରାଷ୍ଟ୍ରପତିଙ୍କ ନିକଟକୁ ଏକ ପ୍ରସ୍ତାବ ପଠାଇବେ ଏବଂ ଆଶା କରୁଛି ସେତେବେଳକୁ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀଙ୍କ ନାମରେ ଏକ ସହମତି ପ୍ରକାଶ ପାଇ ସାରିଥିବ। ଦେଶର ସମ୍ବିଧାନ ଅନୁଯାୟୀ ରାଷ୍ଟ୍ରପତି ଏହି ପ୍ରସ୍ତାବରେ ଦସ୍ତଖତ କରିବା ମାତ୍ରେ ଜାତୀୟ ଆସେମ୍ବ୍ଲି ଭଙ୍ଗାଯିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share