Categories: ଜାତୀୟ

ହରିୟାଣାରେ କିଏ ହେବ ମୁଖ୍ୟମନ୍ତ୍ରୀ, ଖୋଲି କହିଦେଲେ ଅମିତ ଶାହା

ଚଣ୍ଡିଗଡ଼,୨୯ା୬: ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଅସ୍ଥିରତା ତୀବ୍ର ହୋଇଛି। ସେପଟେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ହରିୟାଣାର ମୁଖ୍ୟମନ୍ତ୍ରୀ କିଏ ହେବ ଖୋଲି କହି ଦେଇଛନ୍ତି। ଶାହା କହିଛନ୍ତି, ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନିଙ୍କ ନେତୃତ୍ୱରେ ଭାଜପା ଆଗାମୀ ହରିୟାଣା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଦଳ ତୃତୀୟ ଥର ପାଇଁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ ରାଜ୍ୟକୁ ଫେରି ଆସିବ ବୋଲି ସେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି।

ପଞ୍ଚକୁଲାରେ ଦଳର ସମ୍ପ୍ରସାରିତ ରାଜ୍ୟ କାର୍ଯ୍ୟନିର୍ବାହୀ ବୈଠକରେ ଭାଜପା ନେତା ଓ କର୍ମୀଙ୍କୁ ସମ୍ବୋଧିତ କରି ଶାହା କହିଛନ୍ତି ଯେ, ଚଳିତ ବର୍ଷ ଅକ୍ଟୋବର ପୂର୍ବରୁ ହେବାକୁ ଥିବା ରାଜ୍ୟ ନିର୍ବାଚନ ପାଇଁ ଭାଜପାର କୌଣସି ମିଳିତ ମେଣ୍ଟ ରହିବ ନାହିଁ। ଭାଜପାର କୌଣସି ସହଯୋଗୀ ଦରକାର ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନିଙ୍କ ନେତୃତ୍ୱରେ ଭାଜପା ତୃତୀୟ ଥର ପାଇଁ ହରିୟାଣାରେ ସରକାର ଗଠନ କରିବ। ହରିୟାଣା ଭାଜପା ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି, ସ୍ବରାଷ୍ଟ୍ର ମନ୍ତ୍ରୀ ଦଳର କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି ଯେ, ମୋଦିଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବାରେ ହରିୟାଣାର ଲୋକମାନେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି।

Share