କିଏ ହେବେ ମୁଖ୍ୟମନ୍ତ୍ରୀ? ଆଜି ହୋଇଯିବ ସ୍ପଷ୍ଟ

ଭୁବନେଶ୍ୱର,୧୧ା୬(ସୁନିତ୍‌ ମିଶ୍ର):ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ବିଧାୟକ ଦଳ ବୈଠକ ୪ଟା ୩୦ ମିନିଟ୍‌ରେ ଅନୁଷ୍ଠିତ ହେବ। ଏହି ବୈଠକରେ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରରୁ ଦାୟିତ୍ୱ ପାଇଥିବା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ଉପସ୍ଥିତ ରହିବେ। ଏହାପରେ ରାଜ୍ୟପାଳଙ୍କୁ ଦାବି ଉପସ୍ଥାପନ ପାଇଁ ସମସ୍ତ ନୂତନ ବିଧାୟକ ଯିବେ। ବୁଧବାର ଜନତା ମଇଦାନଠାରେ ଭାଜପାର ପ୍ରଥମ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବ। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ୨ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚି ରାଜଭବନ ଯିବେ। ସେଠାରୁ ଅପରାହ୍ନ ୪ଟାରେ ବାହାରି ଜୟଦେବ ବିହାରରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ୍‌ ଶୋ’ କରିବେ। ଏହାପରେ ୪ଟା ୪୫ରେ ଜନତା ମଇଦାନଠାରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ବୋଲି ବାଲେଶ୍ୱର ଏମ୍‌ପି ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପ୍ରତାପ କହିଛନ୍ତି, ଓଡ଼ିଶାରେ ପ୍ରଥମ କରି ଭାଜପା ସରକାର ଗଠନ କରିବାକୁ ଯାଉଛି। ରାଜ୍ୟରେ ଭ୍ରଷ୍ଟାଚାର, ଅତ୍ୟାଚାରର କଳାକାରନାମା ଚଳାଇଥିବା ବିଜେଡି ସରକାରର ପତନ ଘଟିଛି। ପାର୍ଲାମେଣ୍ଟ ଏବେ ବିଜେଡି ମୁକ୍ତ ହୋଇଛି ଓ ଭାଜପା ପୂର୍ଣ୍ଣ ବହୁମତରେ ସରକାର ପ୍ରତିଷ୍ଠା କରିଛି। ଓଡ଼ିଶାରେ ‘ଡବଲ ଇଞ୍ଜିନ ସରକାର ଗଠନ’ ହେଉଛି। ଏଥିପାଇଁ ପ୍ରତ୍ୟେକ ଓଡ଼ିଶାବାସୀ ନିଜ ଘରେ, ମନ୍ଦିରଗୁଡ଼ିକରେ ଦୁଇଟି ଲେଖାଏଁ ଦୀପ ଜାଳି ସରକାର ପରିବର୍ତ୍ତନର ଖୁସି ମନାନ୍ତୁ। ସେଥିରୁ ଗୋଟିଏ କେନ୍ଦ୍ରରେ ୩ୟ ଥର ମୋଦି ସରକାର ଏବଂ ରାଜ୍ୟରେ ପ୍ରଥମ କରି ଭାଜପା ସରକାର ଗଠନ ପାଇଁ ଜଳାନ୍ତୁ ବୋଲି ସେ କହିଛନ୍ତି।
ଅନ୍ୟପଟେ ଭାଜପାରୁ ଏମ୍‌ପି ଭାବେ ବିଜୟୀ ହୋଇଥିବା କୌଣସି ନେତାଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରିବ ନାହିଁ ବୋଲି ଯାହା ଆକଳନ କରାଯାଉଥିଲା ତାହା ଏକପ୍ରକାର ସ୍ପଷ୍ଟ ହୋଇଛି। ରାଜ୍ୟରେ ଭାଜପା ଟିକେଟରେ ବିଜୟୀ ହୋଇଥିବା ବିଧାୟକମାନଙ୍କ ମଧ୍ୟରୁ ହିଁ ଜଣେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଯାହା ଅନୁମାନ କରାଯାଉଥିଲା ସେନେଇ ଦଳୀୟ ନେତା ମଧ୍ୟ ମତ ରଖିସାରିଲେଣି। କନ୍ଧମାଳ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ ଦିଲ୍ଲୀରୁ ଫେରିବା ପରେ ଜଣେ ବିଧାୟକ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ସୁରେଶ ପୂଜାରୀ ମଧ୍ୟ ଦିଲ୍ଲୀରୁ ଫେରିବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କିଏ ହେବେ ଘୋଷଣାକୁ ଅପେକ୍ଷା କରନ୍ତୁ। ଦଳୀୟ ନିଷ୍ପତ୍ତି ପରେ ଜଣାପଡ଼ିବ। ଏନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ। ପର୍ଯ୍ୟବେକ୍ଷକ ଭାବେ ରାଜନାଥ ସିଂ, ଭୂପେନ୍ଦ୍ର ଯାଦବ ଆସିବେ। ବିଧାୟକ ଦଳ ବୈଠକରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ସୁରେଶ କହିଛନ୍ତି। ଅନ୍ୟପଟେ ଭାଜପାର ଶପଥ ଉତ୍ସବ କାର୍ଯ୍ୟକ୍ରମ ଲାଗି ଜନତାମଇଦାନଠାରେ ପ୍ରସ୍ତୁତି ଏକପ୍ରକାର ଶେଷ ହୋଇସାରିଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ମଧ୍ୟ ନିମନ୍ତ୍ରଣ ପତ୍ର ପଠାଯାଇଥିବା ଜଣାପଡ଼ିଛି।

Share