Categories: ଜାତୀୟ

କିଏ ହେବେ ମୁଖ୍ୟମନ୍ତ୍ରୀ: ନିଷ୍ପତ୍ତି ବୁଧବାରକୁ ଲଟକିଲା…

ବେଙ୍ଗାଲୁରୁ,୧୬।୫ : କର୍ନାଟକରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ କଂଗ୍ରେସ ହାଇ କମାଣ୍ଡ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରି ନାହାନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସମସ୍ତ ନେତାଙ୍କୁ ଭେଟି ସାରିଛନ୍ତି। ସୂତ୍ରରୁ ପ୍ରକାଶ ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ପରାମର୍ଶ ପରେ ବର୍ତ୍ତମାନ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଫଳରେ ମୁଖ୍ୟମନ୍ତ୍ରୀ ନାମ ନେଇ ନିଷ୍ପତ୍ତି ପୁଣି ବୁଧବାର ଯାଏଁ ଲଟକିଛି। ଏହି ଘୋଷଣା ବେଙ୍ଗାଲୁରୁରେ କରାଯାଇପାରେ ।

ରାହୁଲ ଗାନ୍ଧୀ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ଏହା ବ୍ୟତୀତ କର୍ନାଟକର ନବ ନିର୍ବାଚିତ ବିଧାୟକମାନେ ଖାର୍ଗେଙ୍କ ଘରେ ପହଞ୍ଚିଛନ୍ତି। ଡି.କେ ଶିବକୁମାର ମଙ୍ଗଳବାର କର୍ନାଟକରୁ ଦିଲ୍ଲୀ ଆସିଥିବାବେଳେ ସୋମବାର ସିଦ୍ଧରମୈୟା ଜାତୀୟ ରାଜଧାନୀ ପହଞ୍ଚିଥିଲେ। ପର୍ଯ୍ୟବେକ୍ଷକମାନେ ନବ ନିର୍ବାଚିତ ବିଧାୟକ ଦଳର ରିପୋର୍ଟ ମଲ୍ଲିକାର୍ଜୁନଙ୍କ ନିକଟରେ ଦାଖଲ କରିବା ପରେ ଏହି ବୈଠକ ଡକାଯାଇଥିଲା। କିନ୍ତୁ କର୍ନାଟକର ମୁଖ୍ୟମନ୍ତ୍ରୀ କିଏ ହେବେ ତାହାର ନିଷ୍ପତ୍ତି ବୈଠକରେ ନିଆଯାଇପାରି ନାହିଁ।

ସେପଟେ କର୍ନାଟକର ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ କଳ୍ପନା ଜଳ୍ପନାର ବିଷୟ କଂଗ୍ରେସ ବିଧାୟକ ୟୁ.ଟି ଖାଦର ମଙ୍ଗଳବାର କହିଛନ୍ତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଳର ପର୍ଯ୍ୟବେକ୍ଷକ ନବ ନିର୍ବାଚିତ ବିଧାୟକଙ୍କ ମତାମତ ନେଇଛନ୍ତି। ହାଇ କମାଣ୍ଡ ପରବର୍ତ୍ତୀ ନିଷ୍ପତ୍ତି ନେବେ। କଂଗ୍ରେସ ଏକ ୧୦୦ ବର୍ଷ ପୁରୁଣା ଦଳ ଏବଂ ଏହା ଦଳ ପାଇଁ ଏକ ଛୋଟ ପ୍ରସଙ୍ଗ। ଏହା ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ ।

Share