କିଏ ହେବେ କଂଗ୍ରେସର ବିଧାୟକ ଦଳ ନେତା? ରେସ୍‌ରେ…

ଭୁବନେଶ୍ୱର, ୨୦।୬(ସୁନିତ୍‌ ମିଶ୍ର)କଂଗ୍ରେସ ବିଧାୟକମାନଙ୍କ ସହିତ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ଏବଂ ଦଳର ଅନ୍ୟ କିଛି ବରିଷ୍ଠ ନେତାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟତଃ ଆଗାମୀ ଦିନରେ କଂଗ୍ରେସର ଆଭିମୁଖ୍ୟ ରାଜ୍ୟରେ କିପରି ରହିବ ସେନେଇ ଆଲୋଚନା ହୋଇଥିବା ଜଣାପଡିଛି। ବିଜେଡି ସବୁବେଳେ ଭାଜପା ସହିତ ସୁସମ୍ପର୍କ ରଖିଆସୁଥିବା କାରଣରୁ କଂଗ୍ରେସ ହିଁ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଇବ ବୋଲି ବୈଠକରେ ଆଲୋଚନା ହୋଇଥିବା ଜଣାପଡିଛି। ଅନ୍ୟପଟେ ବିଜେଡିର ବର୍ତ୍ତମାନ ସୁଦ୍ଧା ୯ ଜଣ ରାଜ୍ୟସଭା ଏମ୍‌ପି ଥିବା କାରଣରୁ ଚିଟ୍‌ଫଣ୍ଡ, ଖଣି ଆଦି ଦୁର୍ନୀତି ଉପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେବେ ନାହିଁ ବୋଲି ପିସିସି ସଭାପତି ଅଭିଯୋଗ କରିଛନ୍ତି। ଶରତ କହିଛନ୍ତି, ବିଜେଡି-ଭାଜପା ଭିତରେ ସବୁବେଳେ ଉତ୍ତମ ସମ୍ପର୍କ ରହିଆସିଛି। ଏବେ ମଧ୍ୟ ଉଭୟ ନିଜ ନିଜର ଆବଶ୍ୟକତା ପାଇଁ ପରସ୍ପର ସହିତ ସୁସମ୍ପର୍କ ରଖିବେ। ତେଣୁ ବିଧାନସଭା ଭିତରେ ଏବଂ ବିଧାନସଭା ବାହାରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳର କାର୍ଯ୍ୟ ଜାରି ରଖିବ ବୋଲି ସେ କହିଛନ୍ତି। ବୈଠକ ଶେଷରେ ସବୁ ଉପସ୍ଥିତ ନେତାମାନେ ଏକାସଙ୍ଗେ ରାତ୍ରଭୋଜନ କରିଛନ୍ତି।

୨୦୨୪ ନିର୍ବାଚନରେ ବିଭିନ୍ନ ରାଜ୍ୟରେ କଂଗ୍ରେସର ଖରାପ ପ୍ରଦର୍ଶନ ନେଇ ଦଳ ପକ୍ଷରୁ ଗୁରୁତର ସହ ନିଆଯାଇଛି। ଯେଉଁ ରାଜ୍ୟରେ ଦଳର ପ୍ରଦର୍ଶନ ଖରାପ ରହିଛି ତା’ର ତର୍ଜମା କରିବା ଲାଗି ଦଳର ଶୀର୍ଷ ନେତୃତ୍ୱ ବର୍ତ୍ତମାନ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛନ୍ତି। ୮ଟି ରାଜ୍ୟରେ ଖରାପ ପ୍ରଦର୍ଶନ ଲାଗି ଏହି କମିଟି ଗଠନ କରାଯାଇଛି। ସେହି କ୍ରମରେ ଓଡ଼ିଶା ପାଇଁ ମଧ୍ୟ ଟିମ୍‌ ଗଠନ ହୋଇଛି। ଦଳର ବରିଷ୍ଠ ନେତା ଅଜୟ ମାକେନ ଏବଂ ତାରିକ ଅନଓ୍ବରଙ୍କୁ ନିର୍ବାଚନରେ ଓଡ଼ିଶାର ଖରାପ ପ୍ରଦର୍ଶନର କାରଣ କ’ଣ ସେନେଇ ତର୍ଜମା କରିବାକୁ କୁହାଯାଇଛି। ଏନେଇ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ବୁଧବାର କେ.ସି.ବେଣୁଗୋପାଳଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ଜାରି କରାଯାଇଛି।

Share